ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତା ଏମିତି… ଗ୍ରାମବାସୀ କହିବେ କାହାକୁ ?

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତାର ଅବସ୍ଥା କହିଲେ ନ ସରେ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହୋଇଯାଏ ରାସ୍ତା । ଏହି ରାସ୍ତା ଦେଇ ତିନୋଟି ସାହିର ଲୋକେ ଯାତାୟତ କରନ୍ତି । ମାତ୍ର ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଦଶା ଭୋଗୁଛନ୍ତି ଗାଁ ଲୋକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ କରୁଛି ଏହି ଖାଲୁଆ ମାଟି ରାସ୍ତା । ପ୍ରତ୍ୟେକ ବର୍ଷା ଋତୁରେ ଉକ୍ତ ରାସ୍ତାର ଅବସ୍ଥା ଏହିଭଳି ରହିଥାଏ । ଖୋଦ୍ ଏନ୍ଏସି ଅଧ୍ୟକ୍ଷଙ୍କ ଘର ବାଡିପଛ ପାଖକୁ ଲାଗି ଏହି ରାସ୍ତା ଯାଇଥିଲେ ମଧ୍ୟ ଏଥିପ୍ରତି ଅଧ୍ୟକ୍ଷଙ୍କ ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ଗ୍ରାମବାସୀ ।
ଏଠାରେ, ଉଲ୍ଲେଯୋଗ୍ୟ ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ବ୍ରାହ୍ମଣ ସାହି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇ ତାକୁ ଅଧାରେ ଛାଡି ଦିଆଯାଇଥିଲା । ସେତେବେଳେ ରାସ୍ତାଟିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସାହିବାସୀ ଦାବି କରିଥିଲେ ସୁଦ୍ଧା ଏନ୍ଏସି କର୍ତ୍ତୁପକ୍ଷ ଅଧିକ ଅର୍ଥ ମଞ୍ଜୁର ନ କରିବାରୁ ରାସ୍ତାଟି ଅଧାପାନ୍ତରିଆ ହୋଇ ପଡି ରହିଲା । ଅପରପକ୍ଷେ ରାସ୍ତାକୁ ଲାଗି ଲଟିଘାସ ଭର୍ତ୍ତି ହୋଇ ରହିଥିବାରୁ ବିଷଧର ସାପମାନଙ୍କର ଏହା ବିଚରଣ ସ୍ଥଳ ପାଲଟିଛି । ବ୍ରାହ୍ମଣ ସାହିବାସୀଙ୍କ ସମେତ ଆଖପାଖ ଗୋଚ୍ଛାୟତ ସାହି, ବାଙ୍କୁଆଳ ସାହିବାସୀ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟାତ କରନ୍ତି । ବର୍ଷା ପାଣିରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଉଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବହୁ ହଇରାଣ ହରକତ ହୋଇଥାଆନ୍ତି । ଏପରିକି ସାହି ମଧ୍ୟକୁ ଚାରି ଚକିଆ ଗାଡ଼ିଟିଏ ପ୍ରବେଶ କଲେ ଅନୁରୂପ ଅବସ୍ଥା ଦେଖିବାକୁ ମିଳେ । ଏଣୁ ବିଭାଗୀୟ କର୍ତ୍ତୁପକ୍ଷ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ରାସ୍ତା ସମସ୍ୟାର ସମାଧାନ କରି ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରାଇବାକୁ ସାହିବାସୀଙ୍କ ସମେତ ଗ୍ରାମବାସୀ ଦୃଢ଼ ଦାବି କରୁଛନ୍ତି ।