ହିନ୍ଦୋଳ ଏନ୍ଏସି ରାଜରାସ୍ତାରେ ଗୋରୁ ଗୋଠ…

ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ରାଜରାସ୍ତା ପାଲଟିଛି ଗୋରୁ ଗୋଠ । ହିନ୍ଦୋଳ ଏନ୍ଏସିର ମୁଖ୍ୟ ରାସ୍ତାର ବଜାର, ଛକ, ଗଳି ଏପରିକି ରାସ୍ତା ଉପରେ ଗୃହପାଳିତ ଗାଈଙ୍କ ଗୋଠ ଦେଖିବାକୁ ମିଳୁଛି । ଢେଙ୍କାନାଳ-ଅନୁଗୁଳ-ନରସିଂହପୁରରୁ ହିନ୍ଦୋଳକୁ ସଂଯୋଗ କରୁଛି ଏହି ମୁଖ୍ୟ ରାସ୍ତା । ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଚାରିଚକିଆ, ଦୁଇ ଚକିଆ, ସାଇକେଲ ଓ ହଜାର ହଜାର ପଥଚାରୀ ବିପଦପୂର୍ଣ୍ଣ ଭାବରେ ଗମନା ଗମନ କରୁଛନ୍ତି । ଏହି ରାସ୍ତା ଦେଇ ଦୈନିକ ବହୁ ଅଧିକାରୀ, କର୍ମଚାରୀ, ରାଜନୈତିକ ନେତା ମଧ୍ୟ ଯାତାୟତ କରନ୍ତି । କିନ୍ତୁ ରାସ୍ତା ଉପରେ ଗୁହାଳ ପ୍ରତୀତ ଏହି ସମସ୍ୟାକୁ ଦେଖି ଅଣଦେଖା କରନ୍ତି ।
ସ୍ଥାନୀୟ ଲୋକେ ନିଜର ଗୁହାଳ ନକରି ଗାଈଗୋରୁମାନଙ୍କୁ ରାଜରାସ୍ତାରେ ଛାଡି ଦେବା ଫଳରେ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟି ପଥଚାରୀ ମୃତାହତ ହେଉଛନ୍ତି । କୋଭିଡ ସମୟରେ ଏନ୍ଏସି କର୍ତୃପକ୍ଷ ଏଥିପାଇଁ ପଦକ୍ଷେପ ନେଇ ଅସ୍ଥାୟୀ ମିନି ଷ୍ଟାଡିୟମ ନିକଟରେ ଏକ କାଞ୍ଜିଆ ହୁଦା ନିର୍ମାଣ କରାଇଥିଲେ । ମାତ୍ର ଆବଶ୍ୟକ ରକ୍ଷଣା ବେକ୍ଷଣା ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ କାର୍ଯ୍ୟ କାହା ସ୍ୱାର୍ଥରେ ହୋଇଥିଲା ବୋଲି ଏବେ ଏଠାକାର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ହିନ୍ଦୋଳ ଏନ୍ଏସିରେ ଅନେକ ଉନ୍ନୟନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହି ମୁଖ୍ୟ ସମସ୍ୟା ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ ସମ୍ପୃକ୍ତ ବିଭାଗ କୌଣସି ପଦକ୍ଷେପ ନେଉନାହିଁ । କେବଳ ମାଇକ ଯୋଗେ ଲୋକଦେଖାଣିଆ ପ୍ରଚାର ପ୍ରସାର କରି ଜନ ସଚେତନତା ସୃଷ୍ଟି କରିବା ସହିତ ଜନସାଧାରଙ୍କୁ ଚେତାବନୀ ଓ ସତର୍କ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରହିଛି । ଏନେଇ ଗତ ସୋମବାର ହିନ୍ଦୋଳର କର୍ତ୍ତବ୍ୟରତ ଖବରଦାତାମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଜନଅଭିଯୋଗ ଶୁଣାଣୀ ଶିବିରରେ ଭେଟି ଲିଖିତ ଓ ମୌଖିକ ଭାବେ ଅବଗତ କରିଛନ୍ତି । ପ୍ରଶାସନକୁ ଜଣାଇବା ପରେ ହିନ୍ଦୋଳ ଏନ୍ଏସି ରାଜ ରାସ୍ତାରୁ କେବେ ଅବାଧ ଗୋରୁ ଗୋଠ ହଟିବ ଦେଖିବାକୁ ବାକି ରହିଛି ।