ବିଦ୍ୟାଳୟରୁ ଅବସର ନେଲେ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ମିଶ୍ର…

ଗଞ୍ଜାମ : କାଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଳିମେଘି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ, ସମିତି ସଭ୍ୟ ଶ୍ରୀମତୀ ନୟନୀ ଗୌଡ଼, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବଳରାମ ଜେନା, ଶ୍ରୀଯୁକ୍ତ ବିଶ୍ଵାମିତ୍ର ତ୍ରିପାଠୀ, ଶ୍ରୀଯୁକ୍ତ ଅମର ଜେନା, ଶ୍ରୀଯୁକ୍ତ ଜଟେଶ୍ୱର ଦାଶ ଏବଂ ଗ୍ରାମର ବହୁ ସମାଜସେବୀ ଯୋଗ ଦେଇଥିଲେ । ସଭାରେ ସରପଞ୍ଚ ହିନ୍ଦୀ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ବେଗୁନିଆପଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋର୍ତିମୟୀ ନନ୍ଦ ଏବଂ ଶ୍ରୀଯୁକ୍ତ ସୋମନାଥ ସେଠୀ ଉପସ୍ଥିତ ରହି ବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ହିନ୍ଦୀ ଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ନୂତନଭାବେ ଯୋଗ ଦେଇଥିବା ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସହଯୋଗ କରିଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ