ଗଜପତିରେ ସଖୀ ୱାନଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳିତ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ରାଜ୍ୟ ସହାୟତା କେନ୍ଦ୍ର ତଥା ୱାନ୍ ଷ୍ଟପ୍ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଆଇଏସ୍ଆର୍ଡିର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥିଙ୍କୁ ସ୍ଵାଗତ ଜଣାଇଥିଲେ । ଆଇଏସ୍ଆରଡିର ନିର୍ଦେଶକ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ, କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପୀଡିତା ମହିଳା ଓ ବାଳିକାମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଳା ସମାଜ ସଶକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ନାୟକ ମଧ୍ୟ କେନ୍ଦ୍ରର ଭୂମିକା ସମ୍ପର୍କରେ ଅବଲୋକନ କରିଥିଲେ ।
ଏହି ଅବସରରେ ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ସୁନିତା ରଥ ୫ ବର୍ଷର ଧାରାବିବରଣୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଅଶ୍ଵିନୀ କୁମାର ମହାପାତ୍ର ଏହି କେନ୍ଦ୍ର ନିରବଚ୍ଛିନ୍ନ ଭାବେ କାମ କରିବା ସହ ୱାନ୍ ଷ୍ଟପ୍ ସେଣ୍ଟର ସବୁବେଳେ ସବୁ ସମୟରେ ସାହାଯ୍ୟ କରୁଥିବା ବିଷୟରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ସମସ୍ୟ ମମତାରଣୀ ଶତପଥି, ସୁଜାତା ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ ।
କେନ୍ଦ୍ରର ପଞ୍ଚମ ବାର୍ଷିକ ପାଳନ ଅବସରରେ ଗଜପତି ଜିଲ୍ଲାପାଳ ଛେନାପୋଡ଼ କେକ୍ କାଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରେ ଉତ୍କଳ ବାଳାଶ୍ରମ ପିଲାମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଏସ୍ଏଚଜି ମହିଳା, ସ୍ଵଚ୍ଛସାଥୀ, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, କିଶୋରୀ, ବାଳିକା ତଥା ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମର କର୍ମକର୍ତ୍ତା ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହାୟତା କେନ୍ଦ୍ର ତଥା ୱାନ୍ ଷ୍ଟପ୍ କେନ୍ଦ୍ରର ଅନିତା ମିଶ୍ର, ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ସୁନିତା ବେହେରା, ସ୍ଵାଗତିକା ଦାସ, ମୋନାଲିସା ବେହେରା, ନିରୂପମା ରାଉଳ, ଏନ୍ ଉଷା, ଦିବ୍ୟ କୁମାର ସୁଆର, ହରିକୃଷ୍ଣ ଚୌଧୁରୀ, ଟି. ସୁରେଶ କୁମାର ତଥା ଆଇଏସ୍ଆରଡି ପରିବାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଗଜପତିରୁ ବିବେକାନନ୍ଦ ବେହେରା