କର୍କଟ ରୋଗରେ ପୀଡିତ ୩ ବର୍ଷର କ୍ଷିତୀଶ, ସହାୟତା ପାଇଁ ପିତାମାତାଙ୍କ ଆକୁଳ ନିବେଦନ…

ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ବିବାହର ୯ ବର୍ଷ ପରେ ଦମ୍ପତ୍ତିଙ୍କ କୋଳକୁ ଆସିଥିଲେ କ୍ଷିତୀଶ । କ୍ଷିତୀଶଙ୍କୁ ପାଇ ବାପା-ମାଙ୍କ ଜୀବନ ସାର୍ଥକ ହୋଇଥିଲା । ହେଲେ ସେମାନଙ୍କ ଖୁସି ବେଶି ଦିନ ନଥିଲା । ପୁଅ ଜନ୍ମର କିଛି ଦିନରେ ଜଣାପଡିଲା କ୍ଷିତୀଶ କ୍ୟାନ୍ସର ଭଳି ଦୁରାତ୍ମ ରୋଗରେ ପୀଡିତ । ଏ କଥା ଶୁଣି ବାପା-ମାଙ୍କ ପାଦ ତଳୁ ମାଟି ଧସିଗଲା ଯେମିତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁର ଦିନ ମଜୁରିଆ ଦମ୍ପତି ଆକୁଳି ପଲେଇ ଏବଂ ମମତା ପରିଡା । ବିବାହର ୯ ବର୍ଷ ପରେ ଏମାନଙ୍କ କୋଳକୁ ଆସିଥିଲେ ପୁଅ କ୍ଷିତୀଶ ପଲେଇ । ମାସେ କିମ୍ବା ବର୍ଷେ ନୁହେଁ, ଦୀର୍ଘ ୩ ବର୍ଷ ଧରି ରୋଗୀଣା ପୁଅକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଘୁରି ବୁଲୁଛନ୍ତି କ୍ଷିତୀଶଙ୍କ ପରିବାର ଲୋକ । କାରଣ କ୍ଷିତୀଶ ହେଉଛନ୍ତି ବାପା-ମାଙ୍କ “ଆଶାର ଆଲୋକ” ।
ଡାକ୍ତରୀ ରିପୋର୍ଟ ମୁତାବକ କ୍ଷିତୀଶଙ୍କୁ ରକ୍ତ କର୍କଟ । ବୋନ୍ ଟ୍ରାନ୍ସମିଶନ ଅତ୍ୟନ୍ତ ଜରୁରୀ । ସେପଟେ ବିଜୁ ସ୍ୱାସ୍ଥ୍ୟକାର୍ଡରେ ଆଉ ପଇସା ନ ଥିବାରୁ ଘରୋଇ ହସ୍ପିଟାଲ ୨ ଦିନ ତଳେ କ୍ଷିତୀଶକୁ ଫେରେଇ ଦେଇଛି । କଟକରେ ବି ଡାକ୍ତର କହୁଛନ୍ତି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ବମ୍ବେ ଗଲେ ସେଠାରେ ଚିକିତ୍ସା ହୋଇପାରିବ । କିନ୍ତୁ ବାପା ମାଆଙ୍କ ପାଖରେ ସମ୍ବଳ ବୋଲି କିଛି ନାହିଁ । ଘରର ସମସ୍ତ ଆସବାବ ପତ୍ର, ଅଳଙ୍କାର ଏପରିକି ଛେଳି ଓ ଗାଈ ଗୋରୁ ମଧ୍ୟ ବିକ୍ରି ସରିଛି । କ୍ଷିତୀଶଙ୍କ ଚିକିତ୍ସା ପାଇଁ କୋଡିଏ ଲକ୍ଷରୁ ଅଧିକ ଅର୍ଥର ଆବଶ୍ୟକ । କେହି ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ, ସରକାରୀ ଏବଂ ବେସରକାରୀ ସଂସ୍ଥାରୁ ସହାୟତା ମିଳିଲେ, ଛୋଟ ପିଲାଟିର ଜୀବନ ରକ୍ଷାହୋଇ ପାରନ୍ତା । କ୍ଷିତୀଶ କହୁଛି ପୁଣି ଥରେ ସେ ସ୍କୁଲ ଯାଆନ୍ତା, ସାଙ୍ଗ ସାଥିଙ୍କ ସହିତ ଖେଳନ୍ତା, ବୁଲନ୍ତା । ନିଜ ଗାଁ’ ଓ ନିଜର ଛୋଟିଆ ପରିବାର ଭିତରେ ହସି ଖେଳି ସମୟ କଟେଇ ଦିଅନ୍ତା । ଛୋଟିଆ ପିଲା ସିନା କ୍ଷିତୀଶ, କିନ୍ତୁ ଏକଥା ସେ ଡାକ୍ତର ବାବୁଙ୍କୁ ହାତ ଯୋଡି ଅନୁରୋଧ କରୁଛି । କାରଣ ସେ ଜାଣିଛି ଡାକ୍ତର ହିଁ ଭଗବାନ । ଏଥିପାଇଁ ଆର୍ଥôକ ସାହାଯ୍ୟ କରିବା ନିମନ୍ତେ ବ୍ୟାଙ୍କ ଅଫ ଇଣ୍ଡିଆ, କୁହୁଣ୍ଡା ଶାଖା, ଆକାଉଣ୍ଟ ନମ୍ବର ୫୫୮୮୧୦୪୧୦୦୦୧୦୬୯ ମାଧ୍ୟମରେ କିମ୍ବା ଫୋନ ପେ ନମ୍ବର ୭୭୪୯୯୪୪୩୬୨ରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।