ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ…

ବ୍ୟୁରୋ ରିପୋର୍ଟ, (ଏଫ୍ ଟୁ ଏସ୍) : ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯାଉଥିବା ବେଳେ ସେଠାରେ ଜଣେ ବ୍ଲଗର ଡ୍ରୋନ ଉଡାଇଛନ୍ତି । ଡ୍ରୋନ ଉଡାଇବା ସହ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏପରିକି ଡ୍ୟାମର ସବୁ ପଟୁ ଭିଜୁଆଲ ନିଆଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟକୁ ପର୍ଯ୍ୟାୟକ୍ରମେ ଖୋଲା ଯାଇଥିଲା । ଜିଲ୍ଲାପାଳ ପୂଜାର୍ଚ୍ଚନା କରିବା ପରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇ ମହାନଦୀର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଏହାର ଭିଡିଓ ଏବେ ସୋଶାଲ ମିଡିରେ ଘୁରି ବୁଲୁଛି । ଡ୍ୟାମ ଉପର ଭିଜୁଆଲ, ସ୍ପିଲ ୱେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଛି ।
ମିଷ୍ଟର ଓଡିଆ ବ୍ଲଗର ନାଁରେ ଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରାଯାଇଛି । ଯେତେବେଳେ ନିଷିଦ୍ଧାଞ୍ଚଳ ବୋଲି ଗଣମାଧ୍ୟମକୁ ୪ବର୍ଷ ହେବ ସ୍ପିଲ ଓ୍ବେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍ । ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ଆଳରେ ବିଗତ କିଛି ବର୍ଷ ହେବ ହୀରାକୁଦ ଡ୍ୟାମ ପରିସରକୁ ଗଣ ମାଧ୍ୟମର ପ୍ରବେଶକୁ ବାରଣ କରା ଯାଇଥିବା ବେଳେ, ଅନଧିକୃତ ଲୋକମାନେ କିପରି ପ୍ରବେଶ କରି ଭିଡିଓ କରି ଭାଇରାଲ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମ୍ବଲପୁରବାସୀ । ଅପରପକ୍ଷେ ହୀରାକୁଦ ଡ୍ୟାମକୁ ସଶସ୍ତ୍ର ସୁରକ୍ଷା ବାହିନୀ ୨୪ ଘଣ୍ଟିଆ ଜଗି ରହିଥିବା ବେଳେ, ଡ୍ରୋନ ଉଡିବା ଘଟଣା ସମ୍ପର୍କରେ କିଭଳି ଅବଗତ ହେଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।