ସଡକ ସୁରକ୍ଷାର ବ୍ୟବସ୍ଥା ନାହିଁ, ଯାହାର ଫଳ ଭୋଗୁଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳବାସୀ…

ହିନ୍ଦୋଳ, (ଏଫ୍ ଟୁ ଏସ୍ /ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ, ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନୁଗୁଳ-କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ OD19J5015 ଟି ସ୍ଥାନୀୟ ଗୁହାଳୀପାଳ ଅଂଚଳର ସାଇକେଲରେ ଯାଉଥିବା ଚାଳକ ଧରଣୀ ଗୋଛାୟତଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଧରଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ଅପରପକ୍ଷେ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ପିଟି ହୋଇ ଚୁରମାର ହୋଇଯାଇଛି । କାର ଚାଳକ କ୍ଷୀରୋଦ ନନ୍ଦ ଏବଂ ଅନ୍ୟଜଣେ କାରରେ ବସିଥିବା ବ୍ୟକ୍ତି ଉଭୟ ଗୁରୁତର ଆହତ ହୋଇଛନ୍ତି । ତିନି ଆହତଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ମେଡିକାଲ ନିଆଯାଇଥିଲା ବେଳେ ସାଇକେଲ ଚାଳକ ଧରଣା ଗୋଛାୟତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । କାର ଚାଳକଙ୍କୁ ଗୁରୁତର ଭାବେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିବା ସହ ମୃତକ ଶବକୁ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଦୈନିକ ହଜାର ହଜାର ଗାଡି ଯାଆ ଆସ କରୁଥିଲେ ମଧ୍ୟ ସେଠାରେ ସୁରକ୍ଷା ବ୍ୟବସ୍ଥା ନାହିଁ । ଫଳରେ ଅନେକ ସମୟରେ ବେପାରୁଆ ଗାଡି ଚାଳାନା ଯୋଗୁଁ ଅନେକଙ୍କ ମୃତ୍ୟୁ ତଥା ଅନେକ ଗୁରୁତର ଆହାତ ହେବାର ନଜିର ରହିଛି । ଯାହାକି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି । ତେଣୁ ପ୍ରଶାସନ ତଥା ସ୍ଥାନୀୟ ଜନପ୍ରତିନିଧି ଏଦିଗରେ ଗୁରୁତ୍ବ ଦେଇ ସଡକ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଏଭଳି ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରିବ ବୋଲି ଜନସାଧାରଣ ମତବ୍ୟକ୍ତ କରିଛନ୍ତି ।