ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର…

ବ୍ୟୁରୋ ରିପୋର୍ଟ, (ଏଫ୍ ଟୁ ଏସ୍) : ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର । ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି ମନୁ । ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି । ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।
ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି । ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ସେ ପଦକ ଜିତି ପାରି ନଥିଲେ ।
୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ । ମାତ୍ର ପ୍ୟାରିସରେ ସେ ନିଜର ଅଧୁରା ସ୍ୱପ୍ନକୁ ପୂରା କରିପାରିଛନ୍ତି ।
୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି । ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ୍ ରୌପ୍ୟ ପଦକ ପାଇଛନ୍ତି । ଉଭୟଙ୍କ ସ୍କୋର ଯଥାକ୍ରମେ ୨୪୩.୨ ଓ ୨୪୧.୩ ରହିଥିଲା ।