ଆନ୍ଧ୍ର-ଓଡିଶା ସିମାନ୍ତ ପାରଳାଖେମୁଣ୍ଡିରେ ପନିପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ରାଜ୍ୟରେ ପରିବାର ଦରବୃଦ୍ଧି ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ପନିପରିବା ଦରବୃଦ୍ଧି ଏବେ ଖାଉଟି ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗୁଛି । ଗତ କିଛିଦିନ ହେଲା ପାରଳାଖେମୁଣ୍ଡିରେ ଟମାଟୋ କିଲୋ ୧୦୦ ରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ଦର ଆକାଶ ଛୁଆଁ । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି । ଏବେ ପିଆଜ ୪୫ କୁ ଆଳୁ ୫୦ ସେହିଭଳି ଅଦା ଓ କଞ୍ଚାଲଙ୍କା ୧ଶହ ହୋଇ ସାରିଲାଣି । ଫୁଲ କୋବି, ସଜନାଛୁଇଁ, ପୋଟଳ ଆଦି ଶହେ ପାର କରି ସାରିଲେଣି । ବାଇଗଣ, ବନ୍ଧା, ଲାଉ, କଲରା, କୋବି, ବୋଇତାଳୁ, ସାରୁ ଆଦି ପରିବା ୬୦ ପାର କରି ସାରିଲେଣି । ଯେଉଁଥିପାଇଁ ଗରିବ ଲୋକ ପନିପରିବା କିଣିବା କଷ୍ଟକର ହେଉଛି । ସ୍ଥାନୀୟ ଅଞ୍ଚଳରେ ପନିପରିବା ଉତ୍ପାଦନ ସମୟରେ ଦର ନିୟନ୍ତ୍ରଣ ରହୁଛି । କିନ୍ତୁ ଯେତେବେଳେ ସ୍ଥାନୀୟ ଅଞ୍ଚଳର ଉତ୍ପାଦନ କମିଯାଉଛି ସେତେବେଳେ ବାହାର ରାଜ୍ୟର ପନିପରିବା ଆସି ଦର ବୃଦ୍ଧି ଘଟୁଛି । ପାରଳାଖେମୁଣ୍ଡି ବଜାର ସବୁବେଳେ ଆନ୍ଧ୍ର ପ୍ରଦେଶର ସିକାକୋଲମ୍ ଜିଲ୍ଲା ଉପରେ ନିର୍ଭର କରୁଛି । ଏହାସହ ସ୍ଥାନୀୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବାକୁ ଶାଗ ମାଛ ଦରରେ ମଧ୍ୟସ୍ତିଙ୍କ ମାଧ୍ୟମରେ ବିକ୍ରି କରି ଦେଉଛନ୍ତି । ଯାହା ଫଳରେ ପାରଳାଖେମୁଣ୍ଡି ବଜାରରେ ବ୍ୟବସାୟୀମାନେ ନିଜ ମନ ଇଛା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଖାଉଟି ମୁଣ୍ଡରେ ଚଡକ ପଡିଛି ।