ଟିକାବାଲିରେ ରାସନ ଦୁର୍ନୀତି । ରାସନ କାର୍ଡ ଥାଇ ହଟହଟା ହିତାଧିକାରୀ…

କନ୍ଧମାଳ, (ଏଫ୍ଟୁଏସ୍) : ଟିକାବାଲିରେ ରାସନ କାର୍ଡ ଘୋଟାଲା । ଯୋଗ୍ୟ ହିତାଧିକାରୀଙ୍କ ନାମରେ ରହିଛି ରାସନକାର୍ଡ । ମାତ୍ର ନାମ କଟିଯାଇଛି କହି ଦେଉନାହାନ୍ତି ରାସନ ଚାଉଳ । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ନିକଟସ୍ଥ ତେନ୍ତୁଳି ସାହିର ତାରାବତୀ ପ୍ରଧାନଙ୍କୁ ମିଳୁନି ସରକାରୀ ସୁବିଧା । ବାରମ୍ବାର ଗୁହାରୀ ପରେ ବି ଶୁଣିଲେନି ପ୍ରଶାସନ । ଶେଷରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲଙ୍କୁ ଜଣାଇବା ପରେ ସାହାଯ୍ୟର ହାତ ବଢାଇଛନ୍ତି । ତାରାବତୀ ଜଣେ ଅସହାୟ, ବୟସ୍କ ଏବଂ ମାନସିକସ୍ତରରେ ଦୁର୍ବଳ ମହିଳା । ପରିବାର କହିଲେ କେହି ନାହାନ୍ତି । ଅନେକ ସମୟରେ ତାଙ୍କର ଅସହାୟ ଅବସ୍ଥାକୁ ଦେଖି ପଡ଼ିଶା ଘରଲୋକ ତାଙ୍କୁ ଆଶ୍ରୟ ଦେବା ସହ ଖାଇବାକୁ ଦିଅନ୍ତି । ତାରାବତୀଙ୍କ ନାମରେ ରାସନ କାର୍ଡ ରହିଛି । ମାତ୍ର ନାମ କଟିଯାଇଛି କହି ରାସନ ଚାଉଳରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି ତାରାବତୀ । ଏ ନେଇ ସେ ଖାଦ୍ୟ ଯୋଗାଣ ଅଧିକାରିଣୀ ଅମ୍ରିତା ମଲ୍ଲିକଙ୍କୁ ଅଭିଯୋଗ କରିଛନ୍ତି ।
ଅପରପକ୍ଷେ ଅସହାୟ ତାରାବତୀଙ୍କ ଦୁଃଖ କାହାଣୀ ଜାଣିବା ପରେ ଶ୍ରୀ ଦିଗାଲ ଏ ନେଇ ଟିକାବାଲି ଖାଦ୍ୟ ଯୋଗାଣ ଅଧିକାରିଣୀ ଶ୍ରୀମତୀ ମଲ୍ଲିକଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଏହାସହିତ ଅସହାୟ ତାରାବତୀଙ୍କୁ ରାସନ ଚାଉଳ ସମେତ ଭତ୍ତା ଯୋଗାଇ ଦେବାପାଇଁ ମଧ୍ୟ ବିଏସ୍ଏସ୍ଓଙ୍କୁ ନିବେଦନ କରିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ।