କାର୍ଗିଲ ବିଜୟ ଦିବସ: କାର୍ଗିଲ ଯୁଦ୍ଧରେ ଓଡ଼ିଶାର ପ୍ରଥମ ସହିଦ ଗୋପୀନାଥଙ୍କୁ ଝୁରୁଛି ଜନ୍ମମାଟି

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ପାଳିତ ହୋଇଛି କାର୍ଗିଲ ବିଜୟ ଦିବସ । କାର୍ଗିଲ ଯୁଦ୍ଧରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା । ଗୋପୀନାଥ ମାତ୍ର ୧୮ବର୍ଷ ବୟସରେ ୫୨୮ବାଟାଲିୟନରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । କାର୍ଗିଲ ଯୁଦ୍ଧ ସମୟରେ ଅସ୍ତ୍ର, ଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସରେ ସହିଦ ହୋଇଥିଲେ ସହିତ ଗୋପୀନାଥ । ଇତିମଧ୍ୟରେ କାର୍ଗିଲ ଯୁଦ୍ଧକୁ ପୁରିଛି ୨୪ବର୍ଷ । ସହିଦ ହୋଇଥିବା ଗୋପୀନାଥଙ୍କୁ ଆଜି ବି ଝୁରୁଛି ଜନ୍ମମାଟି । ପିତା ଯଦୁମଣି ମହାରଣାଙ୍କର ଇତି ମଧ୍ୟର ପରଲୋକ ହୋଇଯାଇଥିବା ବେଳେ, ମାତା ଝୁମୁରୀ ମହାରଣା ପୁଅର ପ୍ରତିମୂର୍ତ୍ତି ନିକଟରେ ଅତୀତକୁ ମନେପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଜିବି ତାଙ୍କର ଜନ୍ମମାଟି ସହିଦ ଗୋପୀନାଥଙ୍କ ଦେଶ ମାତୃକା ପାଇଁ ଦେଇଥିବା ବଳିଦାନର ସ୍ମୃତିକୁ ଉଜାଗର କରୁଛି । ଜୁଲାଇ ୨୬ ତାରିଖ ଦିନଟିକୁ ସାରାଭାରତ ବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି । ଆଜିର ଦିନରେ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୃହତ ବିଜୟ ହୋଇଥିଲା । ଏଥିପାଇଁ ପ୍ରତ୍ୟେକ ଭାରତୀୟ ଆଜିର ଦିବସରେ ଗର୍ବର ସହ ଭାରତ ମାତାର ଜୟଗାନ କରୁଛନ୍ତି । କାର୍ଗିଲ ବିଜୟ ଦିବସରେ ଜନ୍ମ ମାଟିରେ ଥିବା ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କ ସହ ବରିଷ୍ଠ ସାମ୍ବାଦିକ ଅଭୟ ଜେନା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।