ପବିତ୍ର ଗୁରୁପୂର୍ଣ୍ଣିମାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଭକ୍ତଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାବାହୁ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ, ରାଜାଧିରାଜ୍ ବେଶ ବା ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା ପରେ ଆଜି ପ୍ରଭୁ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଲକ୍ଷ୍ମୀ ନାରାୟଣ ବେଶ ଧାରଣ କରିଛନ୍ତି । ସକାଳୁ ଭକ୍ତମାନେ ନଡ଼ିଆ କଦଳୀ ଧୂପ ଦୀପ ତୁଳସୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଠାକୁରଙ୍କ ଏହି ବେଶ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଠାକୁରଙ୍କ ଏହି ଅଲୌକିକ ବେଶ ଦର୍ଶନ କରିଛନ୍ତି ଭକ୍ତ । ତେବେ ମହାବାହୁଙ୍କ ଏହି ବେଶକୁ ଦର୍ଶନ କଲେ ପରିବାରରେ ଶାନ୍ତି, ପୂର୍ଣ୍ଣତା ଆସିଥାଏ ବୋଲି ବିଶ୍ଵାସ ରହିଛି ।