ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ…

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ । ସ୍ବର୍ଗତଃ କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ । ଜୟପୁର ମେଡିକାଲରୁ ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ପାତ୍ରପୁଟକୁ ନିଆଯାଇଥିଲା । ଗାଁ ମଶାଣୀରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କମଳାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଥିଲେ।
କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କମଳା ପୂଜାରୀଙ୍କର ଦେହାନ୍ତ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ କମଳା । ଶନିବାର ଭୋର ୫ଟାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଥିଲା ।
ଅନେକ ଲୁପ୍ତପ୍ରାୟ ଦେଶୀ ଧାନ କିସମକୁ ସଂଗ୍ରହ କରି ପୁନର୍ଜନ୍ମ ଦେଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ ଅବା ଜୈବିକ କୃଷିର ପ୍ରଚାର ପ୍ରସାର ଦିଗରେ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ । ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଇକ୍ୱେଟର୍ ଇନିସିଏଟିଭ୍ ଆୱାର୍ଡ ପାଇବା ପରେ ଅଖ୍ୟାତ ପଲ୍ଲୀର ବିଖ୍ୟାତ ଚେହେରା ପାଲଟିଯାଇଥିଲେ କମଳା ପୂଜାରୀ । ୨୦୦୩ରେ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ କୃଷି ବିଶାରଦ ସମ୍ମାନ ଏବଂ ୨୦୦୪ରେ ରାଜ୍ୟର ଶ୍ରେଷ୍ଠ ମହିଳା କୃଷକ ପୁରସ୍କାର ପାଇଥିଲେ କମଳା । ୨୦୧୭ରେ ତାଙ୍କ ନାଁରେ ନାମିତ ହୋଇଥିଲା ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ- OUATର ଲେଡିଜ୍ ହଷ୍ଟେଲ । ରାଜ୍ୟ ଯୋଜନା ବୋର୍ଡର ପ୍ରଥମ ଆଦିବାସୀ ମହିଳା ସଦସ୍ୟ ଭାବେ ସେ ୨୦୧୮ରୁ ୨୦୨୩ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ। । କୃଷି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ତଥା ଉତ୍ସର୍ଗୀକୃତ ମନୋଭାବକୁ ଦେଖି ୨୦୧୯ରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରିଥିଲେ ।