ତାଳ ବଣ ବିକାଶ ନିଶାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୃଷ୍ଣଚନ୍ଦ୍ର…

ଅସ୍ତରଙ୍ଗ, (ଏଫ୍ଟୁଏସ୍ /ମାନସ ଦିକ୍ଷିତ) : ତାଳ ଖାଇବାକୁ ଯେତିକି ମଧୁର, ପରିବେଶ ପାଇଁ ତାଳ ଗଛ ସେତିକି ଉପକାରୀ । ଏହା ବଜ୍ରପାତକୁ ପ୍ରତିହତ କରିବା ସହ ଭୂତଳ ଜଳ ସଂରକ୍ଷଣରେ ଗୁରୁ ଦାୟିତ୍ୱ ନିର୍ବାହ କରେ । ଓଡିଶା ହେଉଛି ଏକ ପ୍ରାକୃତିକ ବିପର୍ଯୟ ପ୍ରବଣ ରାଜ୍ୟ । ଏଣୁ ପ୍ରକୃତି ମାଆର ସୁରକ୍ଷା ପାଇଁ ଓଡିଶାର ପୁରପଲ୍ଲୀରେ ବହୁ ସଂଖ୍ୟାରେ ତାଳଗଛ ଲଗାଯାଇଥିଲା । ହେଲେ ଅତ୍ୟାଧୁନିକ ଜୀବନଶୈଳୀ ହେତୁ କୋଠାବାଡ଼ି, କଂକ୍ରିଟ୍ ରାସ୍ତା, ବ୍ୟବସାୟ ପ୍ରତିଷ୍ଠାନ ଆଦି ଗଢି ତୋଳିବା ଉଦେ୍ଦଶ୍ୟରେ ତାଳବଣ ସବୁ କାଟି ଚାଲିଲୁ । ଫଳ ସୁରୂପ ଆଜି ସାମୁଦ୍ରିକ ଅଞ୍ଚଳରେ ମଧୁର ଜଳ ମିଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଏହା ସହ ଉପକୂଳକୁ ସୁରକ୍ଷା ଦେଉଥିବା ଓ ବଜ୍ରପାତରୁ ରକ୍ଷା କରୁଥିବା ତାଳଗଛ ୧୯୯୯ ମହାବାତ୍ୟାରେ ଲୋପ ପାଇଯାଇଥିଲା । ତାଳଗଛ ନଷ୍ଟ ହେବାର ସ୍ପଷ୍ଟ ଭାବେ ଦେଖିଥିଲେ ୧୯୯୯ ମହାବାତ୍ୟାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୃଷ୍ଣଚନ୍ଦ୍ର ବିଶ୍ୱାଳ ।
ବିପର୍ଯ୍ୟସ୍ତକୁ ଆଖିରେ ଆଗରେ ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ଗୁଣ୍ଡଳବା ଗ୍ରାମର କୃଷ୍ଣଚନ୍ଦ୍ର ବିଶ୍ୱାଳ ୨୦୦୪ ମସିହାରେ ଅବସର ନେବା ପରେ ତାଳ ମଞ୍ଜି ସଂଗ୍ରହ କରି ଏହାକୁ ରୋପଣ କରିବାରେ ନିଜକୁ ନିୟୋଜିତ କରିଛନ୍ତି । ଅବସର ନେବା ପରେ ପ୍ରକୃତିର ସୁରକ୍ଷା ପାଇଁ କିଛି କରିବାକୁ କୃଷ୍ଣଚନ୍ଦ୍ର ନିଷ୍ପତ୍ତି ନେଇଥିଲେ । ସେ ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ସମେତ ଉପକୂଳ ବର୍ତ୍ତୀ ଅଂଚଳରେ ତାଳଗଛ ଲଗାଇବା ପାଇଁ ମନୋନିବେଶ କରିଥିଲେ । ନିଜ ଉଦ୍ୟମରେ ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତ୍ତୀ ଗୁଣ୍ଡଳବା, କଣମଣ, ଜାହାନିଆ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ତାଳଗଛ ଲଗାଇ ସାରିଛନ୍ତି ।
କୃଷ୍ଣଚନ୍ଦ୍ର ଅବସର ପରେ ପ୍ରତ୍ୟେକ ଦିନ ସକାଳୁ ନିଜ ଗାଁ ଗୁଣ୍ଡଳବାରୁ ଏକ କୋଦାଳ ଓ ୨ଟି ଝୁଡିରେ ବାହୁଙ୍ଗୀ କରି ବୁଲି ବୁଲି ତାଳ ମଞ୍ଜି ସଂଗ୍ରହ କରିଥାନ୍ତି । ସାଧାରଣତଃ ଜୁଲାଇ ଓ ଅଗଷ୍ଟ ମାସରେ ତାଳ ମଞ୍ଜି ସଂଗ୍ରହ ହୋଇଥାଏ । ଏବଂ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମଞ୍ଜି ଲଗାଯାଇଥାଏ । ଯାହାକି କୃଷ୍ଣଚନ୍ଦ୍ର କିଛି ଦିନ ମଧ୍ୟରେ ତାଳମଞ୍ଜି ସଂଗ୍ରହ କରି ସାଥିମାନଙ୍କ ସହ ଅସ୍ତରଙ୍ଗରୁ ପୁରୀ ବାଲିପୁଟ ଅଞ୍ଚଳକୁ ୫ହଜାରରୁ ଉର୍ଦ୍ଧ୍ୱ ତାଳମଞ୍ଜି ପଠାଇଛନ୍ତି ।
ଶ୍ରୀ କୃଷ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି “ତାଳ ଗଛ ସଙ୍ଗେ ସଙ୍ଗେ ଉପକାର ପ୍ରଦାନ କରିନଥାଏ । ଦୀର୍ଘକାଳୀନ ଭିତ୍ତିରେ ଏହା ମଣିଷ ସମାଜ ପାଇଁ ଅତ୍ୟନ୍ତ ମୂଲ୍ୟବାନ ପାଲଟିଯାଏ । ୨୦ ବର୍ଷ ପରେ ତାଳଗଛ ବଜ୍ରପାତ, ବାତ୍ୟା, ବନ୍ୟା ଓ ସାମୁଦ୍ରିକ ଜୁଆରରୁ ଧନଜୀବନକୁ ସୁରକ୍ଷା ଯୋଗାଇବାରେ ସକ୍ଷମ ହୋଇଥାଏ । ଅନ୍ୟ ପକ୍ଷରେ ତାଳଗଛ ଗ୍ରାମ୍ୟ ଅର୍ଥନୀତି ଓ ଖାଦ୍ୟ ଶୃଙ୍ଖଳାକୁ ସୁରକ୍ଷିତ ଓ ସମୃଦ୍ଧ କରିଥାଏ । ତାଳ ପତ୍ର, ତାଳଗଛର ଗଣ୍ଡି, ତାଳରୁ ପ୍ରସ୍ତୁତ ତାଳ ଗୁଡ଼ ଓ ମିଶ୍ରି ପ୍ରଭୁତି ଚାହିଦା ଆଜିର ବଜାରରେ ବେଶ ମୂଲ୍ୟବାନ । ମାଟିର ସୁରକ୍ଷା ପାଇଁ ତାଳପତ୍ର ପ୍ୟାକିଂ ହେଉଛି ସବୁଠାରୁ ଉର୍ନ୍ନତ ପ୍ୟାକିଂ ବ୍ୟବସ୍ଥା । ଗ୍ରାମ୍ୟ କୁଟୀର ଶିଳ୍ପକୁ ତାଳଗଛ ଅତ୍ୟନ୍ତ ସମୃଦ୍ଧ କରିବାରେ ସହାୟକ ହୋଇପାରିବ ।