ଲୋକଙ୍କ ସମସ୍ୟା ଶୁଣି ସ୍ଥାୟୀ ପ୍ରତିକାର ପାଇଁ ବାଟ କାଢିଲେ ସାଂସଦ…

କୋଦଳା, (ଏଫ୍ଟୁଏସ୍/ବାପୁନି କୁମାର ମାଲୁ) : କୋଦଳା ଏନ୍ଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧ ବି.ନୂଆପଲୀ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀଙ୍କୁ ବି.ନୂଆପଲୀ ଗ୍ରାମବାସୀମାନେ ସ୍ୱାଗତ ଜଣାଇଥିଲେ । ଆୟୋଜିତ ସଭାରେ ବି.ନୂଆପଲୀ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ସାଂସଦଙ୍କ ସମ୍ମୁଖରେ ଗ୍ରାମର ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥିଲେ । ଅଭିଯୋଗ ଅନୁଯାୟୀ କୋଦଳା ଏନ୍ଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଏକ କେନାଲ ଯାଇଥିବା ବେଳେ ଚାଷୀଙ୍କ ଚାଷ କାର୍ଯ୍ୟ ସମେତ ଲୋକଙ୍କ ଗାଧୁଆ ପାଇଁ ଏହା ବର୍ଷ ତମାମ ବ୍ୟବହୃତ ହୋଇଥାଏ । କିନ୍ତୁ ଏହି କେନାଲ ମଧ୍ୟକୁ କୋଦଳା ମରାଠୀ ସାହିର ମଦ ପୋଚ ଏବଂ କିଛି ଅପରିଷ୍କାର ପାଣି ଛାଡୁ ଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଯାହା ଫଳରେ ଉକ୍ତ ୱାର୍ଡର ୱାର୍ଡବାସୀ ମାନନୀୟା ସାଂସଦଙ୍କୁ ଭେଟି ଦାବିପତ୍ର ଦେବା ପରେ ସାଂସଦ ଏହି କାର୍ଯ୍ୟକୁ ଅବିଳମ୍ବେ ସାରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ନେଇ ୱାର୍ଡବାସୀ ଗଭୀର ଆଶା ପ୍ରକଟ କରିଛନ୍ତି । ଅପରପକ୍ଷେ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ଶୁଣି ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଏନ୍ଏସି ଚେୟାରମ୍ୟାନ୍ ସୂର୍ଯ୍ୟ ନାରାୟଣ ନାୟକ, ଭାଇସ୍ ଚେୟାରମ୍ୟାନ ରଞ୍ଜିତା ସେଠୀ, ୧ ନମ୍ବର ୱାର୍ଡ କାଉନସିଲର ସିମାଞ୍ଚଳ ଖଟାଇ, ୧୩ ନମ୍ବର ୱାର୍ଡ କାଉନସିଲର ଗୀତାଞ୍ଜଳି ମିଶ୍ର ଏବଂ ବି.ନୂଆପଲୀର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।