ଭଣ୍ଡାର ଗୃହରୁ ବାହାରି କ’ଣ କହିଲେ ଗଜପତି ମହାରାଜ…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଅସ୍ଥାୟୀ ଭାବେ ଖଟଶେଜ ଘରକୁ ସ୍ଥାନାନ୍ତର କରାଯାଉଛି । ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ମହାପ୍ରଭୁଙ୍କ କୃପାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହି କାମ ଶେଷ ହେବ ବୋଲି ଗଜପତି କହିଛନ୍ତି । ଏତିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।
ଗଜପତି ଆହୁରି କହିଛନ୍ତି, ବାହାର ଓ ଭିତର ରତ୍ନ ଭଣ୍ଡାର ମରାମତିର ଆବଶ୍ୟକ ରହିଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ଲେଜର ସ୍କାନିଂ କରାଯିବ । ରତ୍ନ ଭଣ୍ଡାର ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ଏଏସ୍ଆଇକୁ ହସ୍ତାନ୍ତର କରାଯିବ । ସୂଚନା ଅନୁସାରେ, ୧୯୭୧ରୁ ଏଏସ୍ଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇ ନାହିଁ । ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ। ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି, ମଣତି ହେବ । ତେବେ ମରାମତି ସମ୍ପୂର୍ଣ୍ଣ ନସରିବା ଯାଏ ଗଣତି, ମଣତି କରାଯିବ ନାହିଁ ବୋଲି ଗଜପତି କହିଛନ୍ତି ।
ସେହିପରି ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବାକୁ ଗୁରୁତ୍ୱ ଦିଆଯିବ । ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ । ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସ୍ଆଇ ମରାମତି କରିବ ବୋଲି ଗଜପତି କହିଛନ୍ତି ।