ନବୀନଙ୍କ ‘ଛାୟା କ୍ୟାବିନେଟ’ । ଆଗାମୀ ଦିନରେ କହିବ କେତେ ସଫଳ, କେତେ ବିଫଳ…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ରାଜ୍ୟରେ ପ୍ରଥମଥର ପାଇଁ ଲାଗୁ ହେଲା ‘ଛାୟା କ୍ୟାବିନେଟ’ । ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ବିଭିନ୍ନ ବିଭାଗମାନ ବଣ୍ଟନ ହୋଇଛି । ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର । ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଚଳିତ ନିର୍ବାଚନରେ ବିଜେଡିର ୫୧ ଜଣ ନେତା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ବାଣ୍ଟିଛନ୍ତି ।
କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ । ଭାରତରେ ଯେଉଁ ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ସରକାର ଚଳାଇଥା’ନ୍ତି ଏହି ଶାସନ ପଦ୍ଧତି ବ୍ରିଟେନରୁ ଆସିଛି । ବ୍ରିଟେନ ସମେତ ଅନେକ ପଶ୍ଚିମ ଦେଶମାନଙ୍କରେ ଏହି ଛାୟା କ୍ୟାବିନେଟ ବହୁଳ ପ୍ରଚଳିତ । କିନ୍ତୁ ଭାରତ ପାଇଁ ଏହା ନୁହେଁ ।
ତେବେ ଛାୟା କ୍ୟାବିନେଟ ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ, କିନ୍ତୁ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବିରୋଧୀଦଳର ନେତାମାନେ ଏକ ଦଳ ଗଠନ କରନ୍ତି । ଏବଂ ସେହି ଦଳକୁ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ପ୍ରଶ୍ନ ପଚାରିବାର କ୍ଷମତା ଦେଇଥା’ନ୍ତି । ସଂସଦରେ ଅଧିବେଶନ ସମୟରେ ସମ୍ପୃକ୍ତ ମନ୍ତ୍ରୀମାନେ ଏ ସମୟରେ ଅତି ପ୍ରଭାବଶାଳୀ ଏବଂ ଶାଣିତ ଢଙ୍ଗରେ ସରକାରଙ୍କୁ ଘେରିଥା’ନ୍ତି । ସରଳ ଶବ୍ଦରେ କହିବାକୁ ଗଲେ ଛାୟା କ୍ୟାବିନେଟର ଅର୍ଥ ହେଉଛି ବିରୋଧୀଙ୍କ ସଂଗଠିତ ରୂପ ।
୧୯୯୯ରେ, ଯେତେବେଳେ ସୋନିଆ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିଲେ, ସେତେବେଳେ ସେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଅନେକ କମିଟି ଗଠନ କରିଥିଲେ । ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସଂସଦର ବିଭିନ୍ନ ମନ୍ତ୍ରଣାଳୟ ସହ ଜଡିତ ପ୍ରସଙ୍ଗ ଉଠାଇବା ପାଇଁ ସୋନିଆ ଗାନ୍ଧୀ ପ୍ରଣବ ମୁଖାର୍ଜୀ, ଅର୍ଜୁନ ସିଂ ଠାରୁ ଆନନ୍ଦ ଶର୍ମା ପର୍ଯ୍ୟନ୍ତ ବଡ ନେତାମାନଙ୍କୁ ଦାୟିତ୍ୱ ଦେଇଥିଲେ । ଆମ ଦେଶରେ ତଥା ବିଭିନ୍ନ ରାଜ୍ୟରେ ଏହି ଛାୟା କ୍ୟାବିନେଟ ବ୍ୟବସ୍ଥା ବହୁ ସମୟରୁ ପ୍ରଚଳିତ ରହିଛି । ୨୦୦୫ରେ ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ଛାୟା କ୍ୟାବିନେଟ ଗଠନ କରିଥିଲେ । ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଥିଲା ।
ସେହିପରି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛାୟା କ୍ୟାବିନେଟ ଗଠନ ହୋଇଛି । ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବିରୋଧୀ ଦଳ ବଡ଼ ରଣନୀତି ପ୍ରସ୍ତୁତ କରିଛି । ଏଥିଲାଗି ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବାକୁ ଜଣେ ଲେଖାଏ ଏପରି କି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ୨/୩ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଦଳୀୟ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ।

ନବୀନଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ୱିନୀ କୁମାର ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ (ଜିଏ), ଅରୁଣ କୁମାର ସାହୁଙ୍କୁ ଜଳ ସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ପବ୍ଲିକ୍ ଏଣ୍ଟରପ୍ରାଇଜେସ ବିଭାଗ ଦାୟିତ୍ୱ ଦିଆଯାଇଛି ।

ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜେନ୍ଦ୍ର ଢୋଲକିଆଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ମନୋହର ରନ୍ଧାରୀ ଓ ଯୋଗେଶ କୁମାର ସିଂହଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ବ୍ୟୋମକେଶ ରାୟଙ୍କୁ ୱାର୍କସ, ଦିବ୍ରଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ୱର ବେହେରାଙ୍କୁ ଷ୍ଟିଲ୍ ଓ ଖଣି, ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସନାତନ ମହାକୁଡ଼ଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମ୍ଏସ୍ଏମ୍ଇ, କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପ୍ରଦୀପ କୁମାର ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର, ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ଦିବ୍ୟ ରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ୱାଳଙ୍କୁ ଏସ୍ଏସ୍ଇପିଡି, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧୃବଚରଣ ସାହୁଙ୍କୁ ପର୍ଯ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସୁଶାନ୍ତ କୁମାର ରାଉତଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ବାଣିଜ୍ୟ ଓ ପରିବହନ, ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚ ଶିକ୍ଷା, ରୋହିତ ଯୋଶେଫ ତିର୍କୀଙ୍କୁ ସଂଖ୍ୟାଲଘୁ ବ୍ୟାପାର, ସୁଦର୍ଶନ ହରିପାଲ ହସ୍ତତନ୍ତ, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଯୋଜନା, ଅଭିମନ୍ୟୁ ସେଠୀଙ୍କୁ ୱାର୍କ୍ସ, ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଓ ଲୋକ ସଂପର୍କ, ସୁବାସିନୀ ଜେନାଙ୍କୂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ମାଧବ ଧଡ଼ାଙ୍କୁ ବିଜ୍ଞାନ ଓ ବୈଷୟିକ, ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଶ୍ରମ ଓ ଇଏସ୍ଆଇ, ସୁଜାତା ସାହୁ ମିଶନ ଶକ୍ତି, ନଳିନୀକାନ୍ତ ପ୍ରଧାନଙ୍କୁ ଗୃଯ ଓ ନଗର ଉନ୍ନୟନ, ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ, ଅରବିନ୍ଦ ମହାପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରମାକାନ୍ତ ଭୋଇଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାରଦା ପ୍ରସନ୍ନ ଜେନାଙ୍କୁ ସମନ୍ୱୟ, ସୁନୀଲ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ, ନବ କିଶୋର ମଲ୍ଲିକଙ୍କୁ ଗ୍ରାମୀଣ ବିକାଶ, ପ୍ରଦୀପ କୁମାର ସାହୁଙ୍କୁ ଗୃହ ଓ ନଗର ଉନ୍ନୟନ ଏବଂ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି ।