୧୭ ରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳର ୭.୬ କି.ମି. ଯାଏ ବ୍ୟାପିବା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି । ଏହା ପ୍ରଭାବରେ ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଦିନତମାମ ବର୍ଷା ଲାଗି ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ଭିତରେ କୋରାପୁଟରେ ସର୍ବାଧିକ ୪୫.୨ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୧୮, ନୟାଗଡ଼ରେ ୧୭, ତାଳଚେର ୧୫, ଭବାନୀପାଟଣା ୧୩.୨ ଓ ନବରଙ୍ଗପୁରରେ ୧୩ ମି.ମି. ବର୍ଷା ହୋଇଛି । ସେହିପରି ବାଲେଶ୍ୱର, ଚାନ୍ଦବାଲି, କଟକ, ଭୁବନେଶ୍ୱର, ଗୋପାଳପୁର, ପୁରୀ, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, ସୋନପୁର, ଦାରିଙ୍ଗବାଡ଼ି, ପାରଳାଖେମୁଣ୍ଡି, ରାୟଗଡ଼ା, ଭଦ୍ରକ, ଢେଙ୍କାନାଳ, ଦେବଗଡ଼, ଖୋର୍ଦ୍ଧା, ଜଗତ୍ସିଂହପୁରରେ ମଧ୍ୟ ବର୍ଷା ହୋଇଛି । ତେବେ ୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଦିଆଯାଇଛି । ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।