ଚିଲିକାରେ ପକ୍ଷୀ ସୁରକ୍ଷାରେ ଢିଲା, ବଢୁଛି ଅବାଧ ପକ୍ଷୀ ଶିକାର…

ଖୋର୍ଦ୍ଧା, (ଏଫ୍ଟୁଏସ୍) ୧୬/୦୭ : ଖୋର୍ଦ୍ଧା ଜିଲ୍ଲା ଚିଲିକାର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଢିଲା । ଦିନକୁ ଦିନ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ବଢିବାରେ ଲାଗିଛି । ବନ୍ୟପ୍ରାଣୀ ବିଭାଗ ପକ୍ଷୀଙ୍କ ସୁରକ୍ଷା ଦେବା ଏବଂ ପକ୍ଷୀ ଶିକାରରେ କିପରି ରୋକ୍ ଲଗାଯାଇ ପାରିବ ସେ ଦିଗରେ ସକ୍ଷମ ନୁହଁନ୍ତି । ଏପରିକି ପକ୍ଷୀ ଶିକାର ଦିଗରେ ଜନ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଚିଲିକାରେ ଶିକାରୀ ପକ୍ଷୀ ଶିକାର କରିବା ପରେ ସେମାନଙ୍କୁ ଧରପଗଡ଼ କରି ବାହାଦୁରୀ ଦେଖାଉଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଭିଜନର ପକ୍ଷୀ ସୁରକ୍ଷା ବାହିନୀ । ଗୋଟିଏ ମାସ ନପୁରୁଣୁ ବସ୍ତା-ବସ୍ତା ମୃତ ବିଦେଶୀ ପକ୍ଷୀଙ୍କ ସମେତ ୪ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ୍ୟପ୍ରାଣୀ ବିଭାଗ ।
ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା କଥା ଚିନ୍ତା ନକରି ପକ୍ଷୀ ଶିକାର ପରେ ଶିକାରୀଙ୍କୁ ଧରପଗଡ଼ କରିବା ଓ ମୃତ ପକ୍ଷୀ ଜବତ କରି ନିଜର ବାହାଦୁରୀ ଦେଖାଇବାରେ ବ୍ୟସ୍ତ ହେଉଛନ୍ତି ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀ । ଅନ୍ୟପଟେ ପକ୍ଷୀ ଶିକାରୀମାନେ ଚିଲିକାରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଛନ୍ତି । ଏବଂ ସେହି ବିଦେଶୀ ପକ୍ଷୀଙ୍କୁ ବିକ୍ରି ଉଦେ୍ଦଶ୍ୟରେ ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଛି ବୋଲି ନିଜେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ମୁଖ୍ୟ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପୀନାଥପୁର ଗ୍ରାମର ମନୋଜ ପରିଡ଼ା । ଅନ୍ୟପଟେ ଚିଲିକାରେ ମୃତ ପକ୍ଷୀ ପଡିଥିବା ବେଳେ ସେସବୁକୁ ସଂଗ୍ରହ କରି ଆଣୁଥିଲେ ବୋଲି କହିଛି ଗିରଫ ମନୋଜ ପରିଡ଼ା । ଯଦି ଏହି ଘଟଣାରେ ସତ୍ୟାସତ୍ୟ ଥାଏ, ତେବେ ବନ୍ୟପ୍ରାଣୀ ବିଭାଗ ପାଇଁ ଅଡୁଆ ବଢିବ । କେବଳ ଲୋକଦେଖାଣିଆ ବାହା ବାହା ନେବା ପରିବର୍ତ୍ତେ ପ୍ରକୃତ ଦୋଷୀକୁ ନ ଧରି ନିରୀହ ଲୋକଙ୍କୁ ଶିକାରୀ ସଜେଇ ଧରିବା ବନ୍ୟପ୍ରାଣୀ ବିଭାଗ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।