ଖୋଲୁଛି ରତ୍ନ ଭଣ୍ଡାର…

ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର । ଲୋକନାଥଙ୍କୁ ପୂଜା କରି ପ୍ରବେଶ କଲେ ଟିମ୍ । ଭିତର ରତ୍ନଭଣ୍ଡାର ଚାବି ଫିଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ପୋଷାକରେ ଭଣ୍ଡାର ଭିତରକୁ ଯାଇଛନ୍ତି ଟିମ୍ । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ।
ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ।
ତେବେ ଆଜି ଗଣତି ମଣତି ହେବ ନାହିଁ ବୋଲି ସୂଚନା ମିଳିଛି । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ରଖିବା ଲାଗି ଭୁବନେଶ୍ୱରରୁ ୬ଟି ସିନ୍ଦୁକ ଅଣାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୧୫ଟି ସିନ୍ଦୁକ ବରାଦ କରାଯାଇଛି । ସେଥିରୁ ୬ଟି ପୁରୀ ଆସିଥିବା ବେଳେ ଆଉ ୯ଟିର ତିଆରି ଚାଲିଛି । ୨୦ ଜଣ କାରିଗର ୪୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ଏହି ୬ଟି ସିନ୍ଦୁକ ତିଆରି କରିଛନ୍ତି । ଖୁବ୍ଶୀଘ୍ର ଅନ୍ୟ ୯ଟି ସିନ୍ଦୁକ ମଧ୍ୟ ପୁରୀରେ ପହଞ୍ଚିଯିବ । ଏହି ସିନ୍ଦୁକ ଗୁଡ଼ିକ ଶାଗୁଆନ କାଠରେ ତିଆରି ହୋଇଛି । ତା’ ଭିତରେ ପିତଳର ଛାଉଣୀ ଦିଆଯାଇଛି ।
ସେପଟେ ରତ୍ନଭଣ୍ଡାର ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର । ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଗଲା । ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।