ମାହାଙ୍ଗାରେ ଫଳକ ରାଜନୀତି, ଶାସକ ବିରୋଧି ଛକାପଞ୍ଝା…

ସାଲେପୁର, (ଏଫ୍ଟୁଏସ୍) ୧୩/୦୭ : ମାହାଙ୍ଗାରେ ତେଜିଲା ଫଳକ ରାଜନୀତି । ପ୍ରକଳ୍ପ ଗୋଟିଏ, ହେଲେ ଉଦଘାଟନ ହେଲା ଦୁଇ ଦୁଇ ଥର । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କଳୀନ ମାହାଙ୍ଗା ବିଧାୟକ ଏବଂ କଟକ ସଦର ବିଧାୟକ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ୨ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦଘାଟନ ଫଳକ ମାରିଥିଲେ । ତରତ ସହଦେବପୁର ପୂର୍ତ୍ତ ସଡ଼କ ପାଇଁ ୨୮ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷରିତ ହେବା ପୂର୍ବରୁ ମାହାଙ୍ଗା ଓ କଟକ ସଦର ବିଧାୟକ କିପରି ଶିଳାନ୍ୟାସ କଲେ, ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବି ପି କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ ଠିକା ସଂସ୍ଥା ସହିତ ପୂର୍ତ୍ତ ବିଭାଗର ଗତ ମାର୍ଚ୍ଚ ୧୫ ତାରିଖରେ ଚୁକ୍ତିନାମା ସମ୍ପାଦିତ ହୋଇଥିବା ବେଳେ ୧୪ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କିପରି ହେଲା ଓ ଏହା ପଛର ରହସ୍ୟ କ’ଣ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନ ।
ସେହିପରି ନିଶ୍ଚିନ୍ତକୋଇଲି ବ୍ଲକରେ ଏକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପୂର୍ବରୁ ଏହା କିପରି ଉଦଘାଟନ ହେଲା ବୋଲି ସେ ଅନୁରୂପ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ନିର୍ବାଚନକୁ ଆଖି ଆଗରେ ରଖି ପୂର୍ବତନ ବିଧାୟକ ପ୍ରତାପ ଜେନା ବହୁ ସ୍ଥାନରେ ଶିଳାନ୍ୟାସ ଓ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ।
ସେପଟେ ଫଳକ ମରାକୁ ନେଇ ମୁହଁ ଖୋଲିଥିବା ସ୍ଥାନୀୟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଜିତେନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ରୋକ ଠୋକ ଜବାବ ରଖିଛନ୍ତି ସାରଦା । ଭୋଟ ପୂର୍ବରୁ ତରବରିଆ ଭାବେ ସରକାରୀ ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଯାଇ ଫଳକ ରାଜନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଧାୟକ ଗଣମାଧ୍ୟମକୁ କହିଛନ୍ତି ।