ଆକ୍ସନ ମୁଡରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ବ୍ୟୁରୋ ରିପୋର୍ଟ, ୨୯/୬ : ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଲେ ରାଜ୍ୟ ସରକାର । ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା । ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ ଜିପିଏସ୍ । ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ ଏଭଳି ପଦକ୍ଷେପ ନେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇ ମାସ ଭିତରେ ନୂଆ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁର୍ନୀତି କଲେ ସ୍ପଟରେ ହେବ ଆକନ୍ସ । ଏଥିସହ ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରିବା ନେଇ କୃଷି ବିଭାଗ ସହିତ ଆଲୋଚନା ହେଇଛି । ରାଜ୍ୟରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଥିବା କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ଧାନ ମଣ୍ଡିରେ କଟନୀ ଛଟନୀ ସାଙ୍ଗକୁ ହେରଫେର ହେଉଥିବା ନେଇ ଚାଷୀ ଅଭିଯୋଗ କରନ୍ତି । ଏହାସହ ଟୋକନ୍ ସମସ୍ୟା ସୃଷ୍ଟି ହୋଇଥାଏ । ଏହାକୁ ରୋକିବାକୁ ରାଜ୍ୟର ସବୁ ଧାନ ମଣ୍ଡିରେ ସିସି କ୍ୟାମେରା ଲାଗିବ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।