ଥଇଥାନ ନକରି ତରବରିଆ ନିଷ୍ପତି ନେଇ ଗରିବ ଲୋକଙ୍କୁ ବେସାହାରା କଲା ପ୍ରଶାସନ…

ଏବେ ପ୍ରଶ୍ନ ଜବରଦଖଲ ଜମି ଉପରେ ଆବାସ ଯୋଜନା କାର୍ଯ୍ୟାଦେଶ ଅନୁମତି ଦେଇଥିଲା କିଏ ?
ଢେଙ୍କାନାଳ, ୨୮/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇ ସଂପୂର୍ଣ୍ଣ ପରିବାରଟିକୁ ବେସାହାରା କରିଦେଛନ୍ତି । ସୂଚନା ମୁତାବକ ଗ୍ରାମର ଯୁଧିଷ୍ଠିର ସାହୁ ନିଜର ବାପା ଜେଜ ଅମଳରୁ ଆବାସ ଯୋଗ୍ୟ ଅନାବାଦୀ ଖାତା ସଂଖ୍ୟା ୧୧୭, ପ୍ଲଟ ସଂଖ୍ୟା ୧୯୨୯/୨୩୩୩ ଉପରେ ୬ ଡିସିମିଲ ଜାଗାରେ ଘର କରି ରହି ଆସୁଥିଲେ । ଇତି ମଧ୍ୟରେ ଭୂମିହୀନ ହେତୁ ଯୁଧିଷ୍ଠିରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୬ ଡିସିମିଲର ଏକ ଲିଜ୍ ଜମି ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ଜାଗାର ମାଲିକାନା ସତ୍ୱ ଯୁଧିଷ୍ଠିର ପାଇ ପାରି ନଥିଲେ । ଏହାର କିଛି ଅଂଶରେ ଗ୍ରାମର ବୁଲା ସାହୁ ଏବଂ ତାଙ୍କ ସ୍ତ୍ରୀ ଉତ୍ତମ ସାହୁ ଜୋରଜବରଦସ୍ତ ମଡ଼ାଇ ବାସ ଉପଯୋଗୀ ଗୃହ ନିର୍ମାଣ କରିଥିବାରୁ ଯୁଧିଷ୍ଠିରଙ୍କ ପରିବାର ଏଥିରୁ ବଞ୍ଚିତ ରହିଥିଲେ । ଏନେଇ ଯୁଧିଷ୍ଠିର ମାନ୍ୟବର ସିଭିଲ ଜର୍ଜ ହିନ୍ଦୋଳଙ୍କ ଅଦାଲତରେ ଦୁଇ ଦୁଇ ଥର ମାମଲା ଦାୟର କରିଥିଲେ । ଏଥିରେ ନିଷ୍ଫଳ ହେବାରୁ ଯୁଧିଷ୍ଠିର ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଅଦାଲତର ଆଶ୍ରୟ ନେଇଥିଲେ । ତାହାର କେସ ନଂ ଡବ୍ଲୁପିସି ସଂଖ୍ୟା ୧୦୨୩୩/୨୪ ମାମଲାଟି ଅଦ୍ୟାବଧି ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ବିଚାରଧୀନ ଥିବା ବେଳେ କିଭଳି ତହସିଲଦାର ତରବରିଆ ନିଷ୍ପତି ନେଇ ଚଳିତ ମାସ ୨୪ ତାରିଖରେ ନୋଟିସ ଜାରି କରି ୨୬ ତାରିଖରେ ବେଦଖଲ କଲେ ପ୍ରଶ୍ନ ସାପେକ୍ଷ । ପୁଣି ଜମି ଚିହ୍ନଟରେ ଭୁଲ ନିଷ୍ପତ୍ତି ଯୋଗୁଁ କିଏ ଯୁଧିଷ୍ଠିରଙ୍କୁ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ ୨୦୨୧ /୨୨ ମସିହାରେ କାର୍ଯ୍ୟାଦେଶ ଦେବା ସହ ପାଇଖାନା ନିର୍ମାଣ ଓ ଘର ତିଆରି ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ ତାହା ତଦନ୍ତ ସାପେକ୍ଷ । ସରକାର ବାସହୀନକୁ ଗୃହ ଯୋଗାଇ ଦେବାର ଯୋଜନା ରଖି ଘର ତିଆରି ପାଇଁ ଆର୍ଥôକ ସହାୟତା ପ୍ରଦାନ କରୁଥିବା ବେଳେ ଧୋବଣୀନନ୍ଦର ଗ୍ରାମରେ ଯୁଧିଷ୍ଠିରଙ୍କ କ୍ଷେତ୍ରରେ ଏହାର କିଭଳି ଓଲଟା ପ୍ରତିଫଳନ ହେଲା ।
ଯୁଧିଷ୍ଠିରଙ୍କ ପରିବାର ରହୁଥିବା ଘରଟିକୁ ଭାଙ୍ଗିବା ପାଇଁ ତହସିଲଦାର ଉକ୍ତ ଘର କାନ୍ଥରେ ୨୬ ତାରିଖ ବଦଳରେ ୨୫ ତାରିଖ ଉଲ୍ଲେଖ କରି ଆଉ ଗୋଟିଏ ଭୁଲ ଦର୍ଶାଇଥିଲେ । ଯାହାକୁ ନେଇ ସାଧାରଣରେ ଆଲୋଚନା କରାଯାଉଥିବା ଶୁଣା ଯାଉଛି । ବ୍ୟାପକ ପୋଲିସ ଫୋର୍ସ, ଅମିନ, ଆରଆଇ ଓ ତହସିଲ କର୍ମଚାରୀଙ୍କୁ ନେଇ ତହସିଲଦାର ଜେସିପି ଲଗାଇ ଘର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ସପରିବାରଙ୍କ କାନ୍ଦଣା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା । ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଦ୍ୱୈତ ଅମାନ୍ତ, ପୂର୍ବତନ ସରପଞ୍ଚ ସିଶିରିକା ଅମାନ୍ତ ପ୍ରମୁଖ ଏହାର ଦୃଢ ବିରୋଧ କରିବା ସହ ପ୍ରଶାସନର ପଦକ୍ଷେପକୁ ନିନ୍ଦା କରିଥିଲେ । ହିତାଧିକାରୀଙ୍କୁ ତାର ନ୍ୟାର୍ଯ୍ୟ ଦାବି ପ୍ରଦାନ ପରିବର୍ତ୍ତେ ତାକୁ ଏହିଭଳି ବେସାହାରା କରିବା କେତେ ଯୁକ୍ତି ଯୁକ୍ତ ତାହା ଯୁଧିଷ୍ଠିରଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରୁ ଶୁଣାଣି ପରେ ଜଣା ପଡ଼ିବ । ହିନେ୍ଦାଳ ଉପଖଣ୍ଡ ତଥା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିଭଳି ଗୋଚର ଓ ଅନାବାଦୀ ଜମି ଉପରେ ବହୁ ବ୍ୟକ୍ତି ବିଶେଷ କୋଠା ବାଡ଼ି ଓ ଘର କରି ରହି ଆସୁଥିଲେ ହେଁ ସେଥି ପ୍ରତି ବ୍ଲକ ଓ ଉପଖଣ୍ଡ ପ୍ରଶାସନ ନଜର ଦେଉ ନଥିବାରୁ ସାଧାରଣରେ ସମାଲୋଚନା କରାଯାଉଛି ।