ସଂସଦ ଭବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଦବୋଧନ ଦେଉଛନ୍ତି ମହାମହିମ…

ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା । ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି । ପେପର ଲିକ୍ ରୋକିବାକୁ ସରକାର କଡ଼ା ଆଇନ ଆଣିଛନ୍ତି । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ପ୍ରକାଶ ଥାଉକି, ନିଟ୍-ୟୁଜି ପ୍ରବେଶିକା ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୨୦ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି (NTA)ର ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିରୋଧୀ ମଧ୍ୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ।
ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ସମସ୍ତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଗତ ୧୦ ବର୍ଷ ହେବ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଜୋର ଦେଉଛନ୍ତି ସରକାର । ଏବେ ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଆଗକୁ ନେବାକୁ ଅଗ୍ରସର ହେଉଛନ୍ତି । ଚାଷୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାକୁ ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରିଛନ୍ତି ସରକାର । ସରକାରୀ ଯୋଜନାର ସମସ୍ତ ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି ।
ସମ୍ବୋଧନ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି । ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ମଧ୍ୟ ସେ କହିଛନ୍ତି । ଆଗାମୀ ଦିନରେ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ କରୁଛନ୍ତି ସରକାର । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚଳାଯାଇଛି । ଏହାସହ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।