ଇତିହାସ ରଚିଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ଓମ୍ ବିର୍ଲା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ ବିରୋଧୀ ଦଳ ତରଫରୁ ମୁଁ ଶୁଭେଚ୍ଛା ଜଣାଇଛି । ଏହି ସଦନ ଭାରତର ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛି ଏବଂ ଆପଣ ସେହି ସ୍ୱରର ଶେଷ ନିର୍ଣ୍ଣାୟକ ବ୍ୟକ୍ତି । ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ବିର୍ଲା । ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି ।
ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ମୋର ବିଶ୍ୱାସ ଯେ, ଆପଣ ଆଗାମୀ ୫ ବର୍ଷ ପାଇଁ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ । ଆପଣଙ୍କ ମଧୁର ହସ ଆମ ସମସ୍ତଙ୍କୁ ଖୁସି କରୁଛି । ଦ୍ୱିତୀୟ ଥର ପାଇଁ ବାଚସ୍ପତି ଦାୟିତ୍ୱ ମିଳିବାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ବିଗତ ଦିନରେ ବଳରାମ ଜାଖର ଜୀ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ତାଙ୍କୁ ପୁଣିଥରେ ବାଚସ୍ପତିଙ୍କ ଦାୟିତ୍ୱ ମିଳିଥିଲା । ତାଙ୍କ ପରେ ଆପଣ ହିଁ ଏହି ସୁଯୋଗ ପାଇଛନ୍ତି । ଆପଣ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ସ୍ୱାଧୀନତାର ୭୦ ବର୍ଷ ଭିତରେ ଯାହା ହୋଇ ନଥିଲା ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସେସବୁ ସମ୍ଭବ ହୋଇପାରିଛି । ଗଣମନ୍ତ୍ରର ଲମ୍ବା ଯାତ୍ରାରେ ଏକାଧିକ ମାଇଲଷ୍ଟୋନ ହୋଇଛି।’
ତେବେ ୧୭ତମ ଲୋକସଭାରେ ତାଙ୍କର ଅଧ୍ୟକ୍ଷତାରେ ସଦନର ବ୍ୟବସ୍ଥାରେ ଅନେକ ସୁଧାର ଆସିଛି । ତାଙ୍କ ଅଧ୍ୟକ୍ଷତାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ନାରୀଶକ୍ତି ବନ୍ଦନ ଅଧିନିୟମ, ଜମ୍ମୁ –କାଶ୍ମୀର ପୁନର୍ଗଠନ ବିଧେୟକ, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ସାମାଜିକ ସୁରକ୍ଷା ସଂହିତା, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍, ମୁସଲିମ୍ ମହିଳା ବିବାହ ଅଧିକାର, ସୁରକ୍ଷା ବିଧେୟକ, କନଜ୍ୟୁମର ପ୍ରୋଟେକ୍ସନ ବିଲ୍, ଡାଇରେକ୍ଟ ଟ୍ୟାକ୍ସ, ପରି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି ।
ଯେପରି ୧୭ ତମ ଲୋକସଭାରେ ଗୃହକୁ ସୂଚାରୁ ରୁପେ ପରିଚାଳିତ କରିଥିଲେ, ନିଜର ପାରିଦର୍ଶିତା ଓ ବ୍ୟବହାର ସହ ୧୮ ତମ ଲୋକସଭାରେ ଗୃହର ମାର୍ଗଦର୍ଶନ କରିବେ ବୋଲି କହି ପ୍ରଶଂସା କରିଛନ୍ତି ମୋଦୀ ।
ବରିଷ୍ଠ ସାଂସଦ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି । ଲଗାତାର ତିନି ଥର ନିର୍ବାଚନ ଜିତି ଆସିଛନ୍ତି ଲୋକସଭା । ୨୦୧୪ରେ ପ୍ରଥମ ଥର ସାଂସଦ ହୋଇଥିଲେ । ୨୦୧୯ରେ ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି । ଚଳିତ ନିର୍ବାଚନରେ ପୁଣି ଥରେ କୋଟାରୁ ନିର୍ବାଚନ ଜିତିଛନ୍ତି ଓମ୍ ବିର୍ଲା । ଗତ ୨୦ ବର୍ଷ ଭିତରେ ବାଚସ୍ପତି ହେବା ପରେ ସାଂସଦ ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ।