ଚାଷୀ ପ୍ରସ୍ତୁତ, ହେଲେ ଜଳସେଚନ ପାଇଁ କେନାଲ ଅବ୍ୟବସ୍ଥିତ…

ଗଜପତି, ୨୪/୦୬ : ଗଜପତିରେ ଚାଷ କାର୍ଯ୍ୟ ପାଇଁ ଚାଷୀ ପ୍ରସ୍ତୁତ । ମାତ୍ର ଜଳସେଚନ ପାଇଁ କେନାଲ ସଫେଇ ହୋଇ ନଥିବାରୁ ଚାଷୀ ଚାଷ କାମ କିପରି କରିବ ସେ ନେଇ ଏବେ ଚିନ୍ତାରେ । ଦକ୍ଷିଣ ଓଡ଼ିଶାର ଭାତହାଣ୍ଡି ଗଜପତି ଜିଲ୍ଲାର ଗୋଷାଣୀ, କାଶୀନଗର ବ୍ଲକ୍ ଏବଂ ପାରଳାଖେମୁଣ୍ଡି ଉପଖଣ୍ଡରେ ୩୫ ହଜାର ହେକ୍ଟର ଚାଷ ଜମି ଥିବା ବେଳେ ସେଥିରୁ ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ଏହି ଜମି ଗୁଡ଼ିକ ମୌସୁମୀ ଆଗମନଜନିତ ବର୍ଷା ତଥା ବିଭିନ୍ନ କେନାଲର ପାଣି ଉପରେ ନିର୍ଭରଶୀଳ । ଏଣୁ ପାରଳାଖେମୁଣ୍ଡି ହେଉ କି ଗଜପତି ଜିଲ୍ଲାର ଅନ୍ୟାନ୍ୟ ବ୍ଳକ, ଜଳସେଚନ ପାଇଁ ସୁବିଧା ପ୍ରଦାନ କରୁଥିବା ସାଗରଗୁଡ଼ିକ ଏବଂ ନଦୀବନ୍ଧ ଯୋଜନାରେ ନିର୍ମିତ ବଡ଼ବଡ଼ ପୋଖରୀ ସହ ସଂଯୁକ୍ତ ଥିବା କେନାଲଗୁଡ଼ିକ ହେଉ, ସେଗୁଡ଼ିକ ମେ ଓ ଜୁନ ମାସ ସୁଦ୍ଧା ସଫା ହେବା କଥା । ବର୍ଷା ପରେ ଶୀତ ଓ ଗ୍ରୀଷ୍ମରେ ବଢ଼ି ଉଠିଥିବା ଛୋଟବଡ଼ ଗଛ କାଟି ଜଳ ବହିଯିବା ପାଇଁ ପୂର୍ବପ୍ରସ୍ତୁତି କରିବା କଥା । କିନ୍ତୁ, ଚଳିତବର୍ଷ ରାଜ୍ୟ ସରକାରଙ୍କଠାରୁ ଆସିଥିବା ଅନୁଦାନରେ ୩ଟି ସାଗର ଖୋଳା କାର୍ଯ୍ୟ ଚାଲୁ ରହିଛି ଅଥଚ କେନାଲଗୁଡିକ ଆଜି ପର୍ଯ୍ୟନ୍ତ ସଫା ହୋଇ ପାରିଲା ନାହିଁ । ଯଦି ଆଗାମୀ ଦିନରେ ନିର୍ଦ୍ଧାରିତ ସମୟ ଅନୁସାରେ ମୌସୁମୀ ବର୍ଷା ହୁଏ, ତା’ହେଲେ ସାଗରରେ ପାଣି ରହିବ କିନ୍ତୁ କେନାଲଗୁଡ଼ିକ ସଫା ନଥିବାରୁ ଚାଷୀଙ୍କ ଜମିରେ ପାଣି ପହଞ୍ଚିବା କଷ୍ଟସାଧ୍ୟ ହୋଇପଡ଼ିବ ବୋଲି କୃଷକ ସଂଗଠନ ଆଶଙ୍କା ପ୍ରକାଶ କରିଛି । ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବେଳେ ଚଳିତବର୍ଷ ଅନୁଦାନ ଆସିନ ଥିବାରୁ ମରାମତି ହୋଇନାହିଁ କି ସଫେଇ କାର୍ଯ୍ୟ ହୋଇପାରି ନାହିଁ ବୋଲି ପ୍ରକାଶ କରିଛନ୍ତି ।