ରାସ୍ତା ହେଲେ ବିରୋଧ ନ ହେଲେ ବି ବିରୋଧ, ଦ୍ୱନ୍ଦରେ ପ୍ରଶାସନ…

ହିନ୍ଦୋଳ, ୨୦/୦୬ : ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ଜନସାଧାରଣଙ୍କ ସହ ଆଖପାଖ ୪ଟି ପଂଚାୟତବାସୀ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନଏସି ଅଫିସ ଘେରାଉ କରିଛନ୍ତି । ଖବରରୁ ପ୍ରକାଶ ହିନ୍ଦୋଳ ଏନଏସିରୁ ଆରମ୍ଭ ହୋଇଥିବା ୱାର୍ଡନଂ-୧୫ର ସିଙ୍କୋଳ, ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା ଓ ନୂଆପାଟଣା ଦେଇ ରାସୋଳ, ମାଧପୁର, ଇଲିରିସିଙ୍ଗା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ରାଜ୍ୟସରକାରଙ୍କ ଦ୍ୱାରା ୧୪କୋଟି ଟଙ୍କା ଅନୁମୋଦିତ ହୋଇ ଟେଣ୍ଡର ହୋଇ ରାସ୍ତା କାର୍ଯ୍ୟ ଚାଲୁଥିବାବେଳେ ନିର୍ମାଣ ଆରମ୍ଭ ହେବା ଦିନରୁ ବିନା କାରଣରେ ଆଲୁସିଂ ଗ୍ରାମ ନିକଟରେ ବିରୋଧ କରୁଛନ୍ତି କିଛି ବ୍ୟକ୍ତି । ଏ ନେଇ ସ୍ଥାନୀୟ ଜନସାଧାରଣ ଗତ ୧୦ ଜୁନରେ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ୭ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଅନୁଯାଇ ପାଞ୍ଚ ଗ୍ରାମକୁ ମୁଖ୍ୟ ରାସ୍ତାଠାରୁ ସଂଯୋଗ କରୁଥିବା ରାସ୍ତାଟି ଆରଡି ବିଭାଗ ଚଳିତବର୍ଷ ପିଡବ୍ଲୁଡି ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ମୁଖ୍ୟ ରାସ୍ତାଠାରୁ ୮କିମି ୭୦୦ମିଟର ହିନ୍ଦୋଳ ଏନଏସି ମଧୁବନଠାରୁ ଆଲୁସିଂ ସ୍କୁଲ ଦେଇ ସିଙ୍କୋଳ ଗ୍ରାମ ପର୍ଯ୍ୟନ୍ତ ଟେଣ୍ଡର ହୋଇ ଜନୈକ ଠିକାଦାର ଏହି କାମଟି କରୁଛନ୍ତି । ମାତ୍ର ୧୫ନଂ ୱାର୍ଡର ଆଲୁସିଂ ଗ୍ରାମଠାରେ କିଛି ନ୍ୟସ୍ତସ୍ୱାର୍ଥପର ବ୍ୟକ୍ତି ଗ୍ରାମର ମହିଳାମାନଙ୍କୁ ସାମ୍ନାରେ ରଖି ରାସ୍ତା ନିର୍ମାଣରେ ବାରମ୍ବାର ବାଧାସୃଷ୍ଟି କରି ରାସ୍ତା ନିର୍ମାଣ ବନ୍ଦ କରୁଛନ୍ତି । ଫଳରେ ହଜାର ହଜାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସେଠାରେ ସରକାରୀ ରେକର୍ଡ ସ୍ଥାନରେ ରାସ୍ତା ରହିଅଛି ମାତ୍ର କିଛି ବ୍ୟକ୍ତି ଉକ୍ତ ସରକାରୀ ଜାଗା ହଡପ କରିରଖିଛନ୍ତି । ପୂର୍ବରୁ ମଧ୍ୟ ହିନ୍ଦୋଳ ଏନଏସି ତରଫରୁ ବହୁଥର ଆଲୁସିଂ ଗ୍ରାମ ଠାରୁ ସ୍କୁଲଦେଇ ବରଗୋଜ, କୁଳିଆତୋଟା ଦେଇ ରାସ୍ତାନିର୍ମାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କିଛି ଖଳପ୍ରକୃତିର ଅସାମାଜିକ ଲୋକଙ୍କ ପ୍ରରୋଚନାରେ ବାରମ୍ବାର ରାସ୍ତା ନିର୍ମାଣରେ ଗଣ୍ଡଗୋଳ କରି ବାଧାସୃଷ୍ଟି କରିଆସୁଥିବାରୁ ରାସ୍ତାଟି ନିର୍ମାଣ ଅଟକାଯାଉଛି । ରାସ୍ତାପାଇଁ ଉକ୍ତ ଅଞ୍ଚଳ ଦେଇ ସରକାରୀ ରେକର୍ଡ ରାସ୍ତାକୁ ଅଞ୍ଚଳବାସୀଙ୍କ ଅଭିଯୋଗକୁ ଭିତ୍ତିକରି ହିନେ୍ଦାଳ ତହସିଲଦାରଙ୍କ ପକ୍ଷରୁ ରାସ୍ତା ମାପପାଇଁ କିଛିଦିନ ପୂର୍ବରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଆଲୁସିଂ ଗ୍ରାମର କିଛି ମହିଳା ଓ ପୁରୁଷ ଗଣ୍ଡଗୋଳ କରି ମାପ କାର୍ଯକୁ କରାଇ ଦେଇନଥିବା ଦେଖିବାକୁ ମିଳିଥିଲା । ଫଳରେ ପୂର୍ବ ଲିଖିତ ଅଭିଯୋଗ ଅନୁଯାଇି ଅସନ୍ତୁଷ୍ଟ ହିନ୍ଦୋଳ ଏନଏସି ୧୫ନଂ ୱାର୍ଡ ଓ ମାଧପୁର, ଇଲିରିସିଙ୍ଗା ଓ ରସୋଳ ପଂଚାୟତର କ୍ଷତିଗ୍ରସ୍ତ ଶହଶହ ଜନସାଧାରଣ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନଏସି ଅଫିସ ଘେରାଉ କରିବା ସହ ଅବରୋଧ କରି ରଖିଛନ୍ତି । ଯାହା ଫଳରେ ତିନି ପ୍ରମୁଖ ଅଫିସ କାର୍ଯ୍ୟ ଠପ ହୋଇଯାଇଛି । ଉପଜିଲ୍ଲାପାଳ, ତହସିଲଦାର ଓ ଏସଡିପିଓ ଆନ୍ଦୋଳନରତ ଜନସାଧାରଣଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳରହି ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି ।
ଏପଟେ ଉପଜିଲ୍ଲାପାଳ, ତହସିଲଦାର,ଏସଡିପି କିଛି କର୍ମଚାରୀ ଓ ଜନସାଧାରଣଙ୍କୁ ବିବାଦୀୟ ସ୍ଥାନକୁ ସମାଧାନ ପାଇଁ ଯାଇଥିଲେ ମଧ୍ୟ ବିବାଦୀୟ ସ୍ଥାନର ସ୍ଥାନୀୟ ଆଲୁସିଂ ଗ୍ରାମବାସୀଙ୍କ ପୁନର୍ବାର ବିରୋଧ ଯୋଗୁ କୌଣସି ସମାଧାନ ହୋଇପାରୁନଥିବା ବେଳେ ଜନସାଧାରଣ ଆନ୍ଦୋଳନ ଜାରି ରଖିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପ୍ରଶାସନର ସମାଧାନ ଉଦ୍ୟମ ଫେଲ ମାରିଥିବାବେଳେ ଦେଖିବାକୁ ବାକି ରହିଲା ହିନ୍ଦୋଳ ପ୍ରଶାସନ ଏଥିପାଇଁ କଣ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।