ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସମ୍ବନ୍ଧୀୟ ସଚେତନ କର୍ମଶାଳା

ହିନ୍ଦୋଳ, ୨୦/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ସଭାଗୃହରେ ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତ ଶିକୁଳି ଜନିତ ରକ୍ତ ହୀନତା ନିରାକରଣ ସମ୍ପର୍କିତ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଦୁଦୁରକୋଟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ସରୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରକ୍ତ ଶିକୁଳି ଜନିତ ରକ୍ତ ହୀନତାର କାରଣ ଓ ତାହାର ନିରାକରଣ ଉପରେ ସବିଶେଷ କାରଣ ଗୁଡ଼ିକ ସରଳ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନଗେନ୍ଦ୍ର ନାୟକ ଓ ମହାବିଦ୍ୟାଳୟ ଗଣିତ ବିଭାଗର ଅଧ୍ୟାପକ ଦୀପକ ରଂଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟର ଯତ୍ନ ସମ୍ବଦ୍ଧରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । କର୍ମଶାଳା ପ୍ରାରମ୍ଭରେ ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସର ବ୍ରଜକିଶୋର ବେହେରା ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ମହାବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।