ବାଚସ୍ପତି ପଦରେ ଅଳଙ୍କୃତ ହେଲେ ସୁରମା…

ବିଧାନସଭାର ନୂଆ ବାଚସ୍ପତି ପଦରେ ଅଳଙ୍କୃତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ଏହି ଗୁରୁଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ବାଚସ୍ପତି । ସୁରମା ପାଢ଼ୀ ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କଂଗ୍ରେସ ଓ ସିପିଏମ୍ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗତକାଲି ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା ପାଢ଼ୀ । ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ । ଏଥିପାଇଁ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।