ଲୁଟ୍ ପିକଅପ୍ ଭ୍ୟାନ ସହ ୪ ଡକାୟତ ଗିରଫ…

ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ସମ୍ମୁଖ ରାସ୍ତାରୁ ଜଣେ ଡ୍ରାଇଭରଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇ ଏକ ପିକଅପ୍ ଭ୍ୟାନଙ୍କୁ ଚାରି ଜଣ ଦୃର୍ବୁର୍ତ୍ତ ଲୁଟି ନେଇଥିଲେ । ଏହି ଘଟଣାର ଛାନଭିନ କରି ହିନ୍ଦୋଳ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୬୮ ଟି ପ୍ଲାଷ୍ଟିକ ଟ୍ରେ, ପାଲ, ଗୋଟିଏ ଲାଭା ମୋବାଇଲ ଫୋନ, ଗୋଟିଏ ଭୂଜାଲି, ୨ ହଜାର ଟଙ୍କା ସହ ଡକାୟତ ମାନେ ବ୍ୟବହାର କରିଥିବା ଗୋଟିଏ ସ୍ଵିଫ୍ଟ ଡିଜାୟାର୍ କାର ନଂ ଓଡି୧୧ପି୨୧୭୬ କୁ ଜବତ କରିଥିବା ନେଇ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପକ ରଞ୍ଜନ ଜେନା ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଚଳିତ ମାସ ୫ ତାରିଖ ରାତି ୧୧ଟାରେ ଦେବଗଡ଼ ଜିଲ୍ଲା ରିୟାମାଳ ଅଞ୍ଚଳର ଜୟ ନାରାୟଣ ଅଗ୍ରୱାଲଙ୍କ ଡ୍ରାଇଭର ଦିଲ୍ଲୀପ ମୁଣ୍ଡା ପିକଅପ୍ ଭ୍ୟାନ ନଂ ଓଡି୧୫ଡି୬୬୩୯ ଯୋଗେ ଯାଜପୁରରୁ ଆମ୍ବ ବେପାର ସାରି ଫେରୁଥିବା ବେଳେ ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ କୁରୁମିଥା ସ୍କୁଲ ସାମ୍ନା ରାସ୍ତା ଉପରେ ୪ ଜଣ ଦୃର୍ବୁର୍ତ୍ତ ମାରଣାସ୍ତ୍ର ଯୋଗେ ଏକ କାରରେ ଆସି ତାଙ୍କ ସାମ୍ନାରେ ଗାଡି ଅଟକାଇ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ସହ ତାଙ୍କ ମୁହଁରେ ମୁଖା ବାନ୍ଧି ଦେଇ ଗାଡ଼ିରେ ବସାଇ ଏକ ଜଙ୍ଗଲ ମଧ୍ୟରେ ଛାଡ଼ି ଗାଡ଼ିନେଇ ଫେରାର ହୋଇଯାଇଥିଲେ । ବହୁ କଷ୍ଟରେ ଡ୍ରାଇଭର ଦିଲ୍ଲୀପ ରିୟାମାଳ ଯାଇ ମାଲିକ ଜୟ ନାରାୟଣଙ୍କୁ ଜଣାଇବା ପରେ ସେ ତାଙ୍କ ଭାଇ ଓ ଡ୍ରାଇଭରଙ୍କୁ ଗତ ୮ ତାରିଖ ଦିନ ନେଇ ହିନ୍ଦୋଳ ଥାନାକୁ ଆସି ଘଟଣା ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରିଣୀଙ୍କୁ ଡକାୟତ ମାନଙ୍କୁ ଧରିବା ପାଇଁ ଅନୁରୋଧ କରିଥିଲେ । ପୋଲିସ୍ ଏନେଇ ହିନ୍ଦୋଳ ଥାନାରେ ଏକ ମାମଲା ନଂ ୧୬୮/୨୪ ଦଫା ୩୦୫ ଆଇପିସି ରୁଜୁ କରି ବିଭିନ୍ନ ଅଞ୍ଚଳରେ ଅପରାଧୀଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଥିଲା । ବହୁ ଚେଷ୍ଟା ପରେ ଗିରଫ ୪ ଅଭିଯୁକ୍ତଙ୍କ ସହ ଚୋରି ନଂ ବିହୀନ ପିକଅପ୍ ଭ୍ୟାନ, ମାରଣାସ୍ତ୍ର ସହ ସେମାନେ ବ୍ୟବହାର କରିଥିବା କାରଟିକୁ ଜବତ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ହିନ୍ଦୋଳ ଉପଖଣ୍ଡ କଣ୍ଟା ବଣିଆ ଥାନା ପାଣ ଘୁଡୁଘୁଡ଼ା ଗ୍ରାମର ବିକାଶ ଔରଫ୍ ସୋମନାଥ ବିଶ୍ବାଳ (୧୯) , ଅନୁଗୋଳ ଜିଲ୍ଲା ବନରପାଳ ଥାନା ଭଗବତପୁର ଗ୍ରାମର ରାଜୁ ଔରଫ ରାଜେନ୍ଦ୍ର ପରିଡ଼ା (୨୪) ସେହି ଗ୍ରାମର ଡାକ (ଡାକ୍ତର) ଔରଫ ଅମିତ୍ ପରିଡ଼ା (୨୪) ଏବଂ ଅନୁଗୋଳ ଜିଲ୍ଲା ବନରପାଳ ଥାନା ଗଡ ସନ୍ତ୍ରି ଗ୍ରାମର ବିକ୍ରମ ସାହୁ (୨୭) । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ଡକାୟତ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ହିନ୍ଦୋଳ ଥାନା ଅଧିକାରୀଣି ଚାରୁଲତା ବେହେରା ସୂଚନା ଦେବା ସହ ଏହି ଘଟଣା ନେଇ ଅଧିକ ତଦନ୍ତ କରିବେ ବୋଲି ଜଣାଇଛନ୍ତି ।