ଭାରତୀୟ ଜନତା ପାର୍ଟିର ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛାର ସୁଅ…

ରାଜ୍ୟରେ ବିଜେପି ସରକାର ଗଠନ ହେବା ପଛରେ ଭାରତୀୟ ଜନତା ପାର୍ଟିର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲଙ୍କ ବଳିଷ୍ଠ ଭୂମିକାକୁ ଭୂୟଂସୀ ପ୍ରଶଂସା କରାଯାଇଛି । ରାଜ୍ୟର ସାଢେ ୪କୋଟି ଜନତାଙ୍କ ପରିବର୍ତ୍ତନର ସ୍ୱର ସହିତ ସ୍ୱର ମିଶାଇ ପରିବର୍ତ୍ତନର ସ୍ରୋତକୁ ଆଗକୁ ବଢାଇବାରେ ପ୍ରମୁଖ ବିନ୍ଧାଣି ସାଜିଥିଲେ ମନମୋହନ । ଫଳରେ ଦୀର୍ଘ ୨୪ ବର୍ଷ ଧରି ଅତିଷ୍ଠ ହୋଇଯାଇଥିବା ଓଡ଼ିଶାବାସୀ ଏବେ ଆଶ୍ବସ୍ତି ଅନୁଭବ କରୁଛନ୍ତି l ଆଶାଠାରୁ ଅଧିକ କରିଦେଖାଇଛନ୍ତି ମନମୋହନ । ସବୁଠି ତାଙ୍କରି ପ୍ରଶଂସା । ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ପାଲଟିଛନ୍ତି ମନମୋହନ l ସମସ୍ତେ ଯେତେବେଳେ ଗଠବନ୍ଧନ ପାଇଁ ଯୋଜନା କରୁଥିଲେ ଏକୁଟିଆ ମନମୋହନ ଅଡି ବସିଥିଲେ ଏକାକୀ ଲଢିଵାକୁ । କେବଳ ସେତିକି ନୁହେଁ କେନ୍ଦ୍ରୀୟ ନେତାମାନଙ୍କୁ ଭରସା ଦେଇଥିଲେ ଯୋ ଏଥର ବିଜେପି ନିଶ୍ଚିତ ଏକାକୀ ସରକାର ଗଢିବ । ଆଉ ଶେଷରେ ସମସ୍ତ କଳ୍ପନା ଯଳ୍ପନାର ଅନ୍ତ ଘଟିଲା । ବିଜେପି ଶାସନ ଗାଦିରେ ବସିଲା । ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟସ୍ତରରେ ଆଲୋଚନାର ବିଷୟ ପାଲଟିଗଲା । ତାଙ୍କରି ବଳିଷ୍ଠ ନେତୃତ୍ୱରେ ଓଡିଶାବାସୀ ପାଇଲେ ଜଣେ ସୁଦକ୍ଷ, ସରଳ, ମେଳାପୀ ଲୋକଙ୍କ ମୁଖ୍ୟମନ୍ତ୍ରୀ l ଆଗାମୀ ୫ ବର୍ଷରେ ପଚାଶ ବର୍ଷର ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବିଜେପି ସରକାର ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଆୟୋଜକ ଶିକ୍ଷାବିତ୍, ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକଙ୍କ ସମେତ ସବୁ ବର୍ଗର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍, ଶିକ୍ଷାବିତ୍, କଳାକାର, ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇ ମନମୋହନଙ୍କ ଉଦ୍ୟମକୁ ଭୂୟଂସୀ ପ୍ରଶଂସା କରିଥିଲେ ।