ବିଧାନସଭାରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେଲା ପ୍ରଥମ ଅଧିବେଶନ…

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଏହି ଅବସରରେ ଶପଥ ନେଉଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ।ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଏବଂ ପ୍ରଭାତୀ ପରିଡା ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ବିଧାୟକ ପର୍ଯ୍ୟାୟକ୍ରମେ ଶପଥଗ୍ରହଣ କରୁଛନ୍ତି । ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ । ତିନି ଦିନିଆ ଅଧିବେଶନ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ଦିଆଯିବ । ସୁରକ୍ଷା ଦାୟିତ୍ୱରେ ୭୫ ପୁଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ନିଜେ ପୁଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ।