ଅଶାନ୍ତ ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି…

ଅଶାନ୍ତ ବାଲେଶ୍ୱର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଗତକାଲି ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ପରେ ଏହି କଟକଣା ଲାଗୁ ହୋଇଛି । ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି । ଏ ନେଇ ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ରାତିଠୁ କର୍ଫ୍ୟୁ ଜାରି ହୋଇଛି ।
କର୍ଫ୍ୟୁ କଟକଣା ସମୟରେ ଦୋକାନ ବଜାର ଓ ସ୍କୁଲ କଲେଜ ସମେତ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ । ଏଥିସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍ କରିଛି ପୁଲିସ ପ୍ରଶାସନ ।
ସୂଚନା ଅନୁସାରେ, ବାଲେଶ୍ୱର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି । ସଂଘର୍ଷବେଳେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି ।
କିଛି ଘରେ ହିଂସାକାରୀମାନେ ନିଆଁ ଲଗାଇଦେଇଥିବା ବେଳେ ଗାଡି ଭଙ୍ଗା ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ଆଇଜି ଡ. ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।