ଅଭିଶପ୍ତ ରାଜଉଆସ, ପରିଚୟ ଅପେକ୍ଷାରେ…

ଗଜପତି ୧୭/୬: ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ କୀର୍ତ୍ତି ଏବେ ମଳିନ ହୋଇ ନିଜର ଅସ୍ତିତ୍ବ ହରାଇବାକୁ ବସିଛି । ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ଐତିହ୍ୟ । ରାଜାରାଜୁଡା ସମୟର ଆଧିପତ୍ୟ ଏବେ ରସାତଳଗାମୀ । ଗଜପତି ଜିଲ୍ଲାରେ ଅନେକ ଗୁଡିଏ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଛି । ସେଥିମଧ୍ୟରୁ ବିଏନ ପ୍ୟାଲାସ ବା ବୃନ୍ଦାବନ ପ୍ୟାଲେସ ହେଉଛି ଅନ୍ୟତମ । ଯାହା ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଛି । ଏହି ବୃନ୍ଦାବନ ନିବାସ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଅବସ୍ଥିତ । ମହେନ୍ଦ୍ର ତନୟା ନଦୀ କୂଳରେ ୧୭ ଏକର ପରିମିତ ଜମିରେ ନିର୍ମିତ ଏହି ରାଜପ୍ରାସାଦଟି ମହାରାଜା ଗୌର ଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ଗଜପତିଙ୍କର ଅମ୍ଲାନ କୀର୍ତ୍ତି ।
ଗବେଷକଙ୍କ ମତରେ ୧୮୯୦ରୁ ୧୯୦୫ ମଧ୍ୟରେ ଏହି ସୌଧ ନିର୍ମାଣ ହୋଇଥିଲା । ଏହାର ନକ୍ସା ପ୍ରସ୍ତୁତ କରିଥିଲେ ଇଟାଲୀୟମାନେ । ଏହି ପ୍ୟାଲେସ ତଟରେ ପବିତ୍ର ମହେନ୍ଦ୍ର ତନୟା ନଦୀ ଓ ତା ସାଙ୍ଗକୁ ସବୁଜିମାଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ପ୍ୟାଲେସରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ମ ଅବକାଶ କଟାଉଥିଲେ । ତେଣୁ ଏହାକୁ ବସନ୍ତ ନିବାସ ମଧ୍ୟ କୁହାଯାଏ । ଏହା ହେଉଛି ଇଣ୍ଡୋ-ୟୁରୋପିଆନ୍ ସ୍ଥପତିର ନମୁନା । ଏହାର ନିର୍ମାଣଶୈଳୀ ଏପରି ହୋଇଥିଲେ ଯେ, ସବୁବେଳେ ପ୍ରତ୍ୟେକ କୋଠରୀରେ ଥଣ୍ଡା ଅନୁଭୂତ ହୁଏ । ସମୁଦାୟ ୫୦ଟି କୋଠରୀ ବିଶିଷ୍ଟ ଏହି ପ୍ୟାଲେସରେ ରହିଛି ଅତିଥି ମହଲ, ରାଣୀମହଲ ଭଳି ଅନେକ ସ୍ଥାନ । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପୁଅ ରାମଚନ୍ଦ୍ର ଦେବଙ୍କ ଅକାଳ ବିୟୋଗ ପରେ ଏହାକୁ ଅଭିଶପ୍ତ ରାଜ ଉଆସ କହି ମହାରାଜ ଏହାକୁ ପରିତ୍ୟାଗ କରିଥିଲେ । ଏହା ପରେ ମହାରାଜ ଏହି ଉଆସକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ ।
ସରକାର ଏହି ଉଆସକୁ ନେବା ପରେ ପ୍ରଥମେ କିଛିଦିନ ପୋଲିସର ତୃତୀୟ ବାଟାଲିୟନ ପରେ ଶିକ୍ଷା ବିଭାଗ ଏବଂ ଶେଷରେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କଲେ । ମାତ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି । ପ୍ୟାଲେସର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଅନାବନା ବୃକ୍ଷ ଲତା ଏବଂ ଶିଉଳିରେ ଢାଙ୍କି ହେବାକୁ ବସିଛି ଓଡିଶାର ପୁରାତନ କୀର୍ତ୍ତିରାଜୀ ।
ଏହି ଐତିହାସିକ ପ୍ରାସାଦକୁ ଦେଖିବା ଲାଗି ଦୈନନ୍ଦିନ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ବିଶେଷ କରି ପୋଡ଼ଶୀ ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବୃନ୍ଦାବନ ପ୍ୟାଲେସ । ଏଠାରେ କେହି ସ୍ଥାୟୀ ଜଗୁଆଳି କିମ୍ବା କର୍ମଚାରୀ ନାହାଁନ୍ତି । ବର୍ତ୍ତମାନ ଏଠାରେ ଜଣେ ଅସ୍ଥାୟୀ ଭାବେ ଜଗୁଆଳି ରହିଥିଲେ ହେଁ ତାଙ୍କୁ କୌଣସି ବିଧିବଦ୍ଧ ଭାବେ ଅବସ୍ଥାପିତ କରାଯାଇ ନାହିଁ । ତାଙ୍କୁ ବିଭାଗ ପକ୍ଷରୁ କୌଣସି ମାସିକ ଭତ୍ତା କିମ୍ବା ଦୈନିକ ମଜୁରୀ ଦିଆଯାଉ ନାହିଁ । ପର୍ଯ୍ୟଟକମାନେ ଯାହା ଅର୍ଥ ଦେଉଛନ୍ତି ତାହାକୁ ନେଇ ସେ ରହିଥିବା ଜଣାପଡ଼ିଛି । ଏପରି ଏକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଜିଲ୍ଲାର ସଦର ମହକୁମାରେ ରହିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର କିମ୍ବା ବିଭାଗର ଦୃଷ୍ଟି ପଡିଲେ ପର୍ଯ୍ୟଟକ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଓଡିଶାର ଐତିହ୍ୟ ଏବଂ ଓଡିଆଙ୍କ ଅସ୍ମିତାକୁ ପ୍ରସଙ୍ଗ କରି ବିଜୟ ହୋଇଥିବା ନୂଆ ସରକାର ଆଗାମୀ ଦିନରେ ଐତିହ୍ୟ କୀର୍ତ୍ତିରାଜୀଙ୍କର କିଭଳି ରକ୍ଷଣାବେକ୍ଷଣା କରୁଛି ତାହାକୁ ଅପେକ୍ଷା ।
ଗଜପତିରୁ ବିବେକାନନ୍ଦ ବେହେରା