ନୂଆ ଯୁଗର ଅୟାରମ୍ଭ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

ଆଜିଠୁ ଆରମ୍ଭ ହେଲା ମୋହନ ମାଝୀଙ୍କ ଯୁଗ । ଦୀର୍ଘ ୨୪ ବର୍ଷର ନବୀନ ଯୁଗର ଅବସାନ ଘଟାଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ।
ବିଜେପିର ଏବି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ମୋଦିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ସାଂସଦ ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଯୋଗ ଦେଇଛନ୍ତି । ସେମାନଙ୍କ ବ୍ୟତୀତ ବିଜେପିର ଅନ୍ୟ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା ଓ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି ।
ସେହିପରି ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ଚନ୍ଦ୍ର ସ୍ୱାଇଁ ଶପଥ ନେଇଛନ୍ତି ।