ମନମୋହନ ମୁଖ୍ୟମନ୍ତ୍ରୀ, ନବୀନ ବିରୋଧୀ ଦଳର ନେତା !

ସମୟ କିଛି କ୍ଷଣର । କିଏ ହେବ ରାଜ୍ୟର ପ୍ରଥମ ଭାଜାପା ମୁଖ୍ୟମନ୍ତ୍ରୀ ସେ ନେଇ ସ୍ପଷ୍ଟ ସୂଚନା ମିଳିବ । ଆଜି ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ଓଡିଶାରେ ପହଞ୍ଚିବା ପରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ବିଜେପି ନିଜର ଦଳର ମୁଖିଆଙ୍କ ନାମ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି । ବିଧାୟକ ସୁରେଶ ପୂଜାରୀଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ସେପଟେ କିଏ ହେବ ବିରୋଧୀ ଦଳର ନେତା ସେ ନେଇ ମଧ୍ୟ ଚାରିଆଡେ ଚର୍ଚ୍ଚା । ରାଜ୍ୟରେ ଏଥର ପଟ ପରିବର୍ତ୍ତନ ହୋଇଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ଶାସନ ଗାଦିରେ ରହିଆସିଥିବାବେଳେ ଏଥର କିନ୍ତୁ ତାଙ୍କୁ ବିରୋଧୀ ଦଳର ଆସନରେ ବସିବାକୁ ପଡିବ । ତେବେ ନବୀନ ନିଜେ ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଦଳର ବିଧାୟକ ଏବଂ ବରିଷ୍ଠ ନେତାମାନେ ପରାମର୍ଶ ଦେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ମାତ୍ର ନବୀନ ଯଦି ବିରୋଧୀ ଦଳର ନେତା ହୁଅନ୍ତୁ ତେବେ ତାଙ୍କୁ ଗୃହରେ ପ୍ରତିଦିନ ଉପସ୍ଥାନ ଦେବାକୁ ପଡିବ । ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୃହକୁ ନିୟମିତ ଆସୁନଥିଲେ । ଏଭଳି ସ୍ଥଳେ ନବୀନ ନିଜର ଅଭିଜ୍ଞ ଏବଂ ପୁରୁଖା ନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମଧ୍ୟରୁ ଜଣକୁ ବିରୋଧୀ ଦଳ ନେତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷେ କଂଗ୍ରେସ ମଧ୍ୟ ରାଜ୍ୟରେ ନିଜର ସ୍ଥିତିକୁ ଟିକେ ସୁଦୃଢ କରିଛି । ଏଥର କଂଗ୍ରେସ ସିଟ୍ ୯ରୁ ବଢି ୧୪ ହୋଇଛି । ହେଲେ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ସେ ନେଇ ଆରମ୍ଭ ହୋଇଗଲାଣି ବିବାଦ । ତାରା ଏବଂ ସପ୍ତଗିରିଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଲୋକସଭା ଆସନରେ ସପ୍ତଗିରି ନିଜର ସ୍ଥିତିକୁ ବଳବତ୍ତର ରଖିଥିବାବେଳେ କଂଗ୍ରେସ ପାଇଁ ଗୋଟିଏ ସିଟ୍ ଜିତି ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ସେପଟେ ୨୦୧୪ରୁ ଲଗାତାର ଭାବେ ତାରା ପ୍ରସାଦ ବାହିନୀପତି ଜୟପୁର ଆସନରୁ ବିଜୟ ହାସଲ କରିଆସୁଛନ୍ତି । ତେବେ ସପ୍ତଗିରି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ନାଁ କଂଗ୍ରେସ ବିଧାୟକ ଦଳର ନେତା ପାଇଁ ସୁପାରିସ କରୁଥିବା ବେଳେ ଏହାକୁ କାଉଣ୍ଟର କରିଛନ୍ତି ତାରା । ଏଭଳି ସ୍ଥଳେ ରାଜ୍ୟବାସୀଙ୍କ ନଜର ବିଧାନସଭାର ପ୍ରଥମ ଅଧିବେଶନରେ ।