ଚୋରି ସନ୍ଦେହରେ ବାଇକ ସହ ଜଣେ ଅଟକ…

ହିନ୍ଦୋଳ, ୨୮/୦୫ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ କିଛିଦିନ ତଳେ ଚୋରି ହୋଇଥିବା ଏକ ବାଇକ ଓ ତାକୁ ନେଇଆସିଥିବା ଯୁବକକୁ ଅଟକ ରଖାଯାଇଛି । ଯାହାକି ସେହି ଅଂଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଖବରରୁ ପ୍ରକାଶ ଯେ ଗତ ୧୪ ମେ ତାରିଖରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୨ର ରାଜକୁମାର ରାଜଙ୍କ ଗ୍ଲାମର ବାଇକ ନଂ ଓଡି ୧୯ଏନ୧୫୬୬କୁ କେହି ଅଜଣା ଦୁର୍ବୃତ୍ତ ଚୋରି କରିନେଇଯାଇଥିଲେ । ଏ ନେଇ ରାଜକୁମାରଙ୍କ ବାପା ନିରୋଦରାଜ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ ପକ୍ଷରୁ ସିସିଟିଭି ଯାଂଚ କରାଯାଇ ସନ୍ଧାନ ଜାରି ରହିଥିଲା । ଅପରପକ୍ଷେ ରାଜକୁମାରଙ୍କ ସାନଭାଇ ରାଘବେନ୍ଦ୍ର ରାଜ (କାଳିଆ ) କୌଣସି କାମରେ ମହୀଧରପୁର ଅଞ୍ଚଳକୁ ଯାଇଥିଲେ । ସେଠାରେ ତାଙ୍କ ଭାଇଙ୍କ ଗାଡି ନଂ ଦେଖି ତୁରନ୍ତ ସେହି ଗାଡି ଚଳାଉଥିବା ଯୁବକକୁ ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଅଟକାଇ ହିନ୍ଦୋଳ ଥାନାରେ ସୂଚନା ଦେଇଥିଲେ । ଖବରପାଇ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା, ସହଯୋଗୀ ଅଧିକାରିଣୀ ରୀନା ସାହୁ ଓ ତାଙ୍କ ଷ୍ଟାଫ ସଦଳବଳେ ସମ୍ପୃକ୍ତ ଯୁବକ ସହ ବାଇକକୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛନ୍ତି । ଅଟକ ଥିବା ଯୁବକର ନାମ ଦିଲୁ ସାହୁ ଓ ତାର ଘର ହିନ୍ଦୋଳ ଥାନା କଲଣ୍ଡା ପଂଚାୟତ ଅନ୍ତର୍ଗତ ବଙ୍ଗୁ ଗ୍ରାମ ବୋଲି ଜଣାପଡିଛି । ଅଟକ ଦିଲୁ ସାହୁ ଜଣେ ମାନସିକ ବିକୃତ ବୋଲି ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ତେବେ ତଦନ୍ତ ପରେ ସମସ୍ତ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ହିନ୍ଦୋଳ ପୋଲିସ ସୂତ୍ରରୁ ସୂଚନା ମିଳିଛି ।