“ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ”; ମୋଦୀଙ୍କ ଶାଣିତ ଇଙ୍ଗିତ…

ଓଡିଶାରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ୍ ସରକାର । ଓଡିଆ ଭାଷାରେ ଏପରି କହି ଅନୁଗୋଳ ସଭାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ପୁରୀରେ ରୋଡ ସୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନୁଗୋଳରେ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଏଥର ବିଜେଡି ସରକାର ଯିବା ଥୟ ବୋଲି କହିବା ସହ ଅନୁଗୋଳ ବାସିନ୍ଦାଙ୍କୁ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି । ତେବେ ସକାଳ ଦଶଟାରେ ମୋଦୀଙ୍କୁ ଦେଖିବା ଲାଗି ହୋଇଥିବା ଜନଗହଳୀକୁ ଦେଖି ମୋଦୀ ଅଭିଭୂତ ଥିବା କହିଛନ୍ତି ।
ଜନସଭାରେ “ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର ବୋଲି କହିଛନ୍ତି ମୋଦୀ । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ବାରା ଘେରି ରହିଛି । ସେପଟେ ସାରା ଦେଶବାସୀ ମୋଦୀ ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି, ନିର୍ବାଚନୀ ପର୍ବରେ ନବ ଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ତେଣୁ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଥିବା ସେ କହିଛନ୍ତି।”
ପ୍ରଭୁ ଶ୍ରୀ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି । ତେଣୁ ମୋଦୀ ନିଜେ ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଛନ୍ତି ବୋଲି କହିଛନ୍ତି । ଓଡିଶାବାସୀ ବିଜେଡି ଉପରେ ଦୀର୍ଘ ୨୫ ବର୍ଷ ଭରସା କରିଛନ୍ତି । ମାତ୍ର ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଛି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି । କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି । ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ ।
ଏହା ସହ ମୋଦୀ କହିଛନ୍ତି “କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ଓଡ଼ିଶାକୁ ଡିଏମ୍ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ । କିନ୍ତୁ ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ଏହି ସମୟରେ ମୋଦୀ ନରମ କଣ୍ଠରେ କହିଥିଲେ ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା। ”