ଫେଲ୍ ମାରିଲା ଶକ୍ତି ପ୍ରଦର୍ଶନ । ଶେଷରେ ଶଙ୍ଖ ଛାଡି ପଦ୍ମ ଧରିଲେ ନିମାପଡା ବିଧାୟକ…

ଶଙ୍ଖ ଛାଡି ପଦ୍ମ ଧରିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିଲେ । । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ହୋଇ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ସମୀରଙ୍କ ସହିତ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ।
ବିଜେପିରେ ସାମିଲ ହେବା ପରେ ସମୀର ଦାଶ କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି । ନେତୃତ୍ୱଙ୍କ ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ମୋଦୀ ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ମୋଦୀ କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି । ମୋତେ ଦଳ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି ।
ସମୀର ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଲଗାତାର ୩ଥର ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଦଳ ଏଥର ତାଙ୍କର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ । ଏ ନେଇ ସେ ନିମାପଡ଼ାରେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ । ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା । ପରେ ଦଳ ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ କାଏମ ରଖିଥିଲା ।