ବାରଣାସୀରୁ ତୃତୀୟ ଥର ପାଇଁ ନାମାଙ୍କନ ଭରିଲେ ମୋଦି

ଲୋକସଭା ନିର୍ବାଚନ ପାଇଁ ଆଜି ବାରଣାସୀରୁ ତୃତୀୟ ଥର ପାଇଁ ମୋଦି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ । ୨୦୧୯ରେ ଏହି ଆସନରୁ ମୋଦି ୪.୮ ଲକ୍ଷ ଭୋଟରେ ବିଜୟ ହାସଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମାତା ଗଙ୍ଗାଙ୍କ ପୂଜାର୍ଚ୍ଚନା ସହ କାଳ ଭୈରବ ମନ୍ଦିରରେ ବାବା କାଳ ଭୈରବଙ୍କଠାରୁ ବିଜୟର ଆଶୀର୍ବାଦ ନେଇଥିଲେ ।
ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୪ ଜଣ ପ୍ରସ୍ତାବକ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ, ବୈଜନାଥ ପଟେଲ, ଲାଲଚାନ୍ଦ କୁଶୱା ଏବଂ ସଞ୍ଜୟ ସୋନକର ଉପସ୍ଥିତ ଥିଲେ । ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆସନ୍ତା ଜୁନ ୧ରେ ବାରଣାସରୀ ଆସନରେ ଭୋଟ ଗ୍ରହଣ ହେବ । ସୋମବାର ବାରଣାସୀରେ ପ୍ରଚାର କାର୍ଯ୍ୟ ପାଇଁ ରୋଡ୍ ଶୋ କରିଥିଲେ ମୋଦି ।
କ୍ରମାଗତ ତୃତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୋଦି । ଏଥିର ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଉତ୍ତରପ୍ରଦେଶର କଂଗ୍ରେସ ମୁଖପାତ୍ର ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି ।