ବିଜେଡି ଛାଡିବ ଶହେ ୟୁନିଟ୍; ବିଜେପି ଆଦୌ ନେବନି ବିଦ୍ୟୁତ୍ ବିଲ୍…

୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରାଯାଇଛି: ସାଂସଦ ଷଡଙ୍ଗୀ
ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା । ଏହି ଅବସରରେ ଅପରାଜିତା କହିଛନ୍ତି ଯେ ଏଥର ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବାକୁ ଘୋଷଣା କରିଛି । କିନ୍ତୁ ବିଜେପି ଆଦୌ ବିଦ୍ୟୁତ୍ ବିଲ୍ ନେବ ନାହିଁ ବୋଲି ଘୋଷଣାପତ୍ରରେ କହି ସାରିଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିପାଇଁ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଯିବ । ତେବେ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା ।
ଏଥିସହ ଶ୍ରୀମନ୍ଦିର ପରିକଳ୍ପନା ପ୍ରୋଜେକ୍ଟକୁ ନେଇ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ରାଜ୍ୟ ରାଜକୋଷରୁ ୪ ହଜାର ୨ ଶହ କୋଟି ଟଙ୍କାର ବ୍ୟୟକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି । ଅପରପକ୍ଷେ ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ ଏହି ପ୍ରକଳ୍ପର ଡିଜାଇନ କରିବାକୁ ଦିଆଯାଇଥିଲା । କେଉଁ ପରିପ୍ରେକ୍ଷୀରେ ଏହି ପ୍ରକଳ୍ପର ଡିଜାଇନ ଭୂମିପୁତ୍ରକୁ ଦିଆଗଲା ବୋଲି ସିଧା ସାନବାବୁଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା । ଗୋଟେପଟେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପାଇଁ ୧୪ ଶହ କୋଟି ଖର୍ଚ୍ଚ ହୋଇଛି । ତାହା ପୁଣି ଦାନସୂତ୍ରରେ ମିଳିଛି । ତେଣୁ ଭୁଲ ଡିପିଆର ପ୍ରସଙ୍ଗ ଉପରେ ଟିପ୍ପଣୀ ଦେବା ସହ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ହିସାବ ମାଗିଛି ବିଜେପି । ଅପରପକ୍ଷେ ଓଡିଶାର ସଂସ୍କତି ଓ ପରମ୍ପରାର ପ୍ରତୀକ ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠକୁ ଭାଙ୍ଗିବା ପ୍ରସଙ୍ଗରେ, ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ପ୍ରହାର କରିଛନ୍ତି ବୋଲି ଶାଣିତ ସ୍ବରରେ ପ୍ରହାର କରିଛନ୍ତି ଭୁବନେଶ୍ବର ସାଂସଦ ।
ଓଡ଼ିଶାରେ ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ରାଜ୍ୟ କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏବେ ବି ପଛରେ ପଡ଼ି ଯାଇଛି । ଆନ୍ତର୍ଜାତିକ ଶ୍ରମ ଅର୍ଗାନାଇଜେସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୪୨% ଯୁବକଯୁବତୀ ବେରୋଜଗାର ଅଛନ୍ତି । ୨୨ଟି ରାଜ୍ୟରେ ବେକାରି ସମସ୍ୟାକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଓଡ଼ିଶା ଏହି ତାଲିକାରେ ଏକ ନମ୍ବରରେ ରହିଛି ବୋଲି କହିଛନ୍ତି ସାଂସଦ ।
କେବଳ ସେତିକି ନୁହେଁ, ସାଂସଦ ଷଡଙ୍ଗୀ କହିଛନ୍ତି, ୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରାଯାଇଛି । ସାନ ବାବୁ ବଡ଼ ବାବୁ ହେବାକୁ ପ୍ରୟାସ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କଠୁ ସମସ୍ତଙ୍କୁ ଦୂରେଇ ରଖିଛନ୍ତି । ଏପରିକି ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ମନ୍ତ୍ରୀ, ଡିଜି ପୁଲିସ୍ ବି ଏହି ଭଦ୍ର ବ୍ୟକ୍ତିଙ୍କ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ।