କନିଷିରେ ବିଶାଳ ଜନସଭାକୁ ସମ୍ବୋଧିତ କରୁଛନ୍ତି ନବୀନ…

ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ନବୀନ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । ସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ସହ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିବେ । ଏଥିସହ ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହାପୂର୍ବରୁ ନବୀନ ଆଜି ଗଞ୍ଜାମର କନିଷି ପଞ୍ଚାୟତରେ ପହଞ୍ଚି ଶିବ ମନ୍ଦିର ପରିସରରେ ଆୟୋଜିତ ପ୍ରଚାର ସଭାରେ ସାମିଲ ହୋଇଛନ୍ତି । ସେଠାରେ ସମାବେଶକୁ ସମ୍ବୋଧିତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧୧ଟା ୪୫ ମିନିଟରେ ଆସିକା ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ କନ୍ଧମାଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ମୋଦିଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହର ଲହରି ଖେଳିଯାଇଛି । କନ୍ଧମାଳ ଜିଲ୍ଲାର ନେତା ଓ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ ଆରମ୍ଭ କରିଛନ୍ତି ।