ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପ୍ରାର୍ଥୀନୀ…

ହିନ୍ଦୋଳ, ୦୮/୫ : ହିନ୍ଦୋଳରେ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପ୍ରାର୍ଥୀନୀ ନିଜ ନିଜର ସମର୍ଥକଙ୍କ ଗହଣରେ ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀନୀ ଭାବେ ସୀମାରାଣି ନାୟକ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଦଳୀୟ ସମର୍ଥକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଏକ ବିରାଟ ଶୋଭାଯତ୍ରାରେ ସ୍ଥାନୀୟ କାନ୍ଦରାଶୁଣି ଛକ ଠାରୁ ବାହାରି ବନମାଳୀପୁର, ନୂତନ ପାଟଣା, ମେଡିକାଲ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପ୍ରାର୍ଥୀନୀ ଶ୍ରୀମତୀ ନାୟକ ଓ ଲୋକସଭା ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ସେଠାରୁ ସିଧା ସଳଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ସେଟ୍ ସମ୍ବଳିତ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ବେଳେ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଙ୍କ ସମେତ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନିଲ ଶର୍ମା, ଜିଲ୍ଲାର ସମସ୍ତ କମିଟି ସଭ୍ୟ, ମଣ୍ଡଳ ସଭାପତି, ବିଜେପି ନେତା ପ୍ରକାଶ ମଙ୍ଗରାଜ, ସଞ୍ଜୟ ନାୟକ, ଭାସ୍କର ଚନ୍ଦ୍ର ନାୟକ, ଅଜୟ ଦାସ, ସୋମନାଥ ସେଥି, ତରୁଣ ସାମଲ, ରିନା ବେହେରା, ସୁନୀତା ନାଥ, ସଭାଗିନି ପ୍ରଧାନ ପ୍ରମୁଖ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ।

ସେପଟେ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ବାହାରି କଚେରୀ ଛକଠାରେ ପହଞ୍ଚିବା ପରେ ସେଠାରେ ଦଳୀୟ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନିଲ ଦାସ, ବ୍ଲକ କଂଗ୍ରେସ କମିଟି ସଭାପତି ଛବିରାଜ ବିଶ୍ୱାଳ, ଜିଲ୍ଲା କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାଳ, ସକ୍ରିୟ ସଭ୍ୟ ସାଦତ୍ ଖାଁ ପ୍ରମୁଖ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ଦଳୀୟ ପ୍ରାର୍ଥୀ ଶ୍ରୀ ନାୟକ ରାହୁଲ ଗାନ୍ଧୀ ଘୋଷଣା କରିଥିବା ୫ଟି ଗ୍ୟାରେଣ୍ଟିକୁ ଲୋକ ଲୋଚନକୁ ଆଣିବା ପାଇଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ପ୍ରଚାର ଚଳାଇ ଥିବା ପ୍ରକାଶ କରିଛନ୍ତି ।