କାହାକୁ ପସନ୍ଦ କରିବେ ଭୋଟର । ପ୍ରାର୍ଥୀ ନା ଦଳ…

ନୀଳଗିରିରେ ଏଥର ଜନତା କାହାକୁ ନିଜର ନେତା କରିବେ । ଏଥର ପାର୍ଟି ଦେଖି ଭୋଟ ଦେବେ ନା ପ୍ରାର୍ଥୀ ଦେଖି ଭୋଟ ଦେବେ ଜନତା । ବାଲେଶ୍ବର ଜିଲ୍ଲାର ନୀଳିଗିରି ଅଙ୍କ ରୋଚକ ମୋଡ ନେଇଛି । ୨୦୧୯ରେ ଜନତା ଦେଖିଥିଲେ ସୁକାନ୍ତ ବନାମ ସନ୍ତୋଷ ଲଢେଇ । ଏଥର ମଧ୍ୟ ସମାନ ସ୍ଥିତି । ମାତ୍ର ଦଳ ଭିନ୍ନ । ୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ସୁକାନ୍ତ ନାୟକ ବିଜେପି ପ୍ରାର୍ଥୀ ହୋଇଥିଲେ । ସେହି ସମୟରେ ସନ୍ତୋଷଙ୍କୁ ୧୫୭୭ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ ସୁକାନ୍ତ । ଏହାପରେ ବି ସନ୍ତୋଷ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା ସହ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ । ମାତ୍ର ଦଳ ସନ୍ତୋଷଙ୍କ ବଦଳରେ ସୁକାନ୍ତଙ୍କୁ ଭରସା କରି ନୀଳଗିରି ଆସନରୁ ପ୍ରାର୍ଥୀ ଦେଇଛି । ଗତ ପାଞ୍ଚ ବର୍ଷ ଧରି ନୀଳଗିରିର ବିଧାୟକ ହୋଇ ଲୋକଙ୍କ ସେବା କରୁଥିଲେ ବିଜେପି ବିଧାୟକ ସୁକାନ୍ତ । ମାତ୍ର ଚଳିତ ନିର୍ବାଚନରେ ସେ ପଦ୍ମ ଛାଡି ଶଙ୍ଖ ଧରିଥିଲେ ।
ସେପଟେ ସୁକାନ୍ତଙ୍କୁ ଟିକେଟ୍ ମିଳିବା ପରେ ବିଜେଡି ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ନିଜର ଅସନ୍ତୋଷ ଜାହିର କରି ଦଳରୁ ଇସ୍ତଫା ଦେଇଥିଲେ । ଗତ ପାଞ୍ଚ ବର୍ଷ ଧରି ସେ ବିଜେଡିକୁ ସଂଗଠିତ କରି ସମସ୍ତ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ଏବଂ ଭରସା କରିପାରିନଥିଲେ । ଶେଷରେ ଛିଣ୍ଡିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଙ୍କ । ବିଜେଡି ଛାଡ଼ିବା ପରେ ସନ୍ତୋଷ ନିଜ କର୍ମୀଙ୍କ ସହ ପଦ୍ମ ଶିବିରରେ ପହଞ୍ଚିଥିଲେ । ନୀଳଗିରି ବିଧାନସଭା ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି ।
ସୂଚନା ଅନୁସାରେ, ବିଜେପିର ବିଧାୟକ ସୁକାନ୍ତ କୁମାର ନାୟକ ମାର୍ଚ୍ଚ 31 ତାରିଖରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେହିଦିନ ଠାରୁ ଉଭୟ ବିଜେଡିରେ କର୍ମୀ ସମ୍ମିଳନୀ ଜରିଆରେ ଅନ୍ୟ ଦଳର କର୍ମୀଙ୍କୁ ବିଜେଡିରେ ସାମିଲ କରିବାରେ ଲାଗିପଡିଥିଲେ । ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୀଳଗିରିର ବିଜୁଜନତା ଦଳର ପ୍ରାର୍ଥୀ ଭାବେ ସୁକାନ୍ତ ନାୟକଙ୍କ ନମା ଘୋଷଣା କରିବା ପରେ ସୁକାନ୍ତ ଶିବିରରେ ଦେଖାଦେଇଥିଲା ଖୁସିର ଲହରୀ । ଅନ୍ୟପଟେ ଦୀର୍ଘ ପାଞ୍ଚ ବର୍ଷ ଧରି ଦଳକୁ ସମ୍ଭାଳି ଥିବା ସନ୍ତୋଷ ଖଟୁଆଙ୍କ ପ୍ରତି ବିଶ୍ବାସ ଘାତକତା କରିଥିଲା ଦଳ । ଯାହାକୁ ନେଇ ସନ୍ତୋଷଙ୍କ ଶିବିରରେ ଦେଖାଦେଇଥିଲା ନୈରାଶ୍ୟ । ଏ ନେଇ ସନ୍ତୋଷଙ୍କ ସମର୍ଥକ ବିଜେଡିର ପୋଷ୍ଟର ଏବଂ ବ୍ୟାନରକୁ ଜୋତାରେ ମlଡ ମାରିବା ସହ ଗୋଇଠା ମାରି ପୋଡି ଦେଇଥିଲେ । ବର୍ତ୍ତମାନ ବିଜେପି ପ୍ରାର୍ଥୀ ହେବା ପରେ ସନ୍ତୋଷ ଖଟୁଆ ବିଜେଡି ଉପରେ ବର୍ଷିବା ସହ ବିଜେଡି ଆଉ ଦଳ ନୁହେଁ ବରଂ କର୍ପୋରେଟ ହାଉସ ହୋଇଯାଇଛି ବୋଲି ବ୍ୟଙ୍ଗ କରିଛନ୍ତି ।
ଏଥର ଜନତାଙ୍କ ନିର୍ଣ୍ଣୟ । ଦଳ ଦେଖି ଭୋଟ ଦେବେ ନା ପ୍ରାର୍ଥୀ ଦେଖି ନିଜ ନେତା ବାଛିବେ । ଅପରପକ୍ଷେ ଏଯାବତ୍ କଂଗ୍ରେସ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।