କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ…

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ହେଲିପ୍ୟାଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଏକ ଶୋଭାଯାତ୍ରାରେ ଯାଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ଭି.କେ. ପାଣ୍ଡିଆନ, ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ, ବିଜେଡିର ବରିଷ୍ଠ ନେତା ଏୟୁ ସିଂହଦେଓ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି ।
ନବୀନ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ମଙ୍ଗଳବାର ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିସାରିଥିବାବେଳେ ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି । ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଟିଟିଲାଗଡ ସିଟି ହାଇସ୍କୁଲରୁ ଏକ ରୋଡ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ହିଞ୍ଜଳି ଆସନରୁ ପ୍ରତିଥର ନିର୍ବାଚନ ଲଢ଼ିଥାନ୍ତି ନବୀନ । ମାତ୍ର ୨୦୧୯ରେ ୨ଟି ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଉଭୟ ଆସନରେ ବିଜୟ ହାସଲ କରିବା ପରେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ ନବୀନ । ଚଳିତ ନିର୍ବାଚନରେ ମଧ୍ୟ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି ନବୀନ । ହିଞ୍ଜିଳି ସମେତ କଣ୍ଟାବାଞ୍ଝି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ ।