ଅନଲାଇନ୍ ଠକେଇ; ଘଣ୍ଟା ବଦଳରେ ଆସିଲା ଖାଲି ଖୋଳ

ଭୁବନେଶ୍ୱର, ୦୧/୫ : ଘଣ୍ଟା ବଦଳରେ ଆସିଲା ଖାଲି ଖୋଳ । ଆମାଜନ୍ ଅନଲାଇନ୍ ଷ୍ଟୋରରୁ ଘଣ୍ଟା କିଣି ଗ୍ରାହକ ହଟହଟା । ଆମାଜନ୍ ବିରୋଧରେ ଥାନାରେ ଠକେଇ ଅଭିଯୋଗ କଲେ ଗ୍ରାହକ । ବର୍ତ୍ତମାନ ଡିଜିଟାଲ ଯୁଗରେ ଦୋକାନକୁ ଯାଇ ଜିନିଷ କିଣିବା ଅପେକ୍ଷା ଘରେ ବସି ସୁଲଭ ମୂଲ୍ୟରେ ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି ଗ୍ରାହକ । କିନ୍ତୁ ବେଳେ ବେଳେ ଏହି ଅନଲାଇନ୍ ସପିଙ୍ଗ ଦ୍ୱାରା ଠକେଇର ଶିକାର ହେବାକୁ ପଡୁଛି । କେତେବେଳେ ମୋବାଇଲ ଫୋନ୍ ବଦଳରେ ଇଟା ଖଣ୍ଡ ତ ଆଉ କେତେବେଳେ ଦାମୀ ଜିନିଷ ବଦଳରେ ଖାଲି କାଗଜ ଖୋଳ । ଏଭଳି ଏକ ଅନଲାଇନ୍ ଠକେଇ ଘଟଣା ଆସିଛି ରାଜଧାନୀ ଭୁବନେଶ୍ୱରରେ ।
ଆଉ ଠକେଇର ଶିକାର ହୋଇଛନ୍ତି ଖଣ୍ଡଗିରି ଜାଗମରା କ୍ରିଷ୍ଣ ଗାର୍ଡେନ କମ୍ପେ୍ଲକ୍ସରେ ରହୁଥିବା ଶିଶିରକାନ୍ତି ପଟନାୟକ ନାମକ ଜଣେ ବ୍ୟକ୍ତି । ଏନେଇ ସେ ଖଣ୍ଡଗିରି ଥାନା ଓ ଖାଉଟି ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଶିଶିରକାନ୍ତି ଆମାଜନ ଅନଲାଇନ୍ ଆପ ମାଧ୍ୟମରେ ସିଟିଜେନ୍ ଇକୋ ଡ୍ରାଇଭି କମ୍ପାନୀର ଏକ ହାତ ଘଣ୍ଟା ଅଡର କରିଥିଲେ, ଯାହାର ମୂଲ୍ୟ ୨୨ ହଜାର ୮ ଶହ ଟଙ୍କା । କିନ୍ତୁ ଏହି ଘଣ୍ଟା ଘରେ ଆସି ଡେଲିଭରି ବଏ ଦେବା ସମୟରେ ସେହି ପ୍ୟାକେଟକୁ ଖୋଲିବା ପାଇଁ ଶିଶିରକାନ୍ତି କହିଥିଲେ । ଏବଂ ଏହା ସହିତ ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରୁଥିଲେ । ମାତ୍ର ପ୍ୟାକେଟ ଖୋଲା ହେବା ପରେ ସେ ଭିତରେ ଘଣ୍ଟା ନଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଆମାଜନର ଗ୍ରାହକ କେନ୍ଦ୍ରରେ ଯୋଗାଯୋଗ କରିଥିଲେ । ତେବେ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ ତଦନ୍ତ କରୁଛୁ କହି ପରବର୍ତ୍ତୀ ସମୟରେ କିଛି ଉତ୍ତର ଦେଇନଥିଲେ । ଯାହାଫଳରେ ଗ୍ରାହକ ଜଣକ ଖଣ୍ଡଗିରି ଥାନା ଓ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଆମେ ଏଠି କହି ରଖୁଛୁ ରାଜ୍ୟରେ ସାଇବର ଠକେଇ ବଢିଚାଲିଥିବା ବେଳେ ଏଥିପ୍ରତି ଗ୍ରାହକମାନେ ସଚେତନ ହେବା ଆବଶ୍ୟକ । ଆମାଜନ୍ ଭଳି ସଂସ୍ଥା ଯଦି ଏଭଳି ଠକେଇ କରେ, ତେବେ ଲୋକେ କାହା ଉପରେ ଭରସା ରଖିବେ । ତେଣୁ ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଠକେଇରେ ସମ୍ପୃକ୍ତ କମ୍ପାନୀକୁ ଉଚିତ୍ ଦଣ୍ଡ ଦେବାକୁ ଦାବି ରଖିଛନ୍ତି ଶିଶିରକାନ୍ତି ପଟନାୟକ ।
