ଆଇଏଏସ୍ ପରୀକ୍ଷାରେ ସଫଳତା ହାସଲ କଲେ ନୀଳଗିରିର ଝିଅ ଆୟୁଷି…

ନୀଳଗିରି, ୧୮/୪ : ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନେ । ଏହି କଥାକୁ ସତ୍ୟରେ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ତେନ୍ତୁଳିଆ ପଞ୍ଚାୟତ ଅଧିନସ୍ଥ ବାଲିସାହି ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ଝିଅ ଆୟୁଷି ପ୍ରଧାନ । ଆୟୁଷିଙ୍କ ଏକାଗ୍ରତା, କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି । ନିକଟରେ ପ୍ରକାଶିତ ହୋଇଛି ଆଇଏଏସ୍ ପରୀକ୍ଷାଫଳ । ଏଥିରେ ୩୪ତମ ର୍ୟାଙ୍କ ହାସଲ କରିଛନ୍ତି ଆୟୁଷି ପ୍ରଧାନ । ତେବେ ଏହି ସଫଳତାକୁ ସେ ତୃତୀୟ ଥରରେ ହାସଲ କରିଛନ୍ତି । ପ୍ରଥମ ଥରରେ ସେ ସନ୍ତୋଷଜନକ ସଫଳତା ନ ପାଇବାରୁ ଦ୍ୱିିତୀୟ ପର୍ଯ୍ୟାୟରେ ପରୀକ୍ଷା ଦେଇଥିଲେ । ସେଥିରେ ମଧ୍ୟ ସଫଳତା ନ ପାଇବାରୁ ସେ ହାର ମାନି ନ ଥିଲେ । ପୁନଃ ପ୍ରୟାସ କରି ତୃତୀୟ ଥରରେ ସେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।
ତିନି ବର୍ଷର କଠିନ ପରିଶ୍ରମର ଫଳ ବାହାରିବା ପରେ ଆୟୁଷି ନିଜେ ଖୁସି ହେବା ସହ ନୀଳଗିରି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ଏହି ଅବସରରେ ସେ ନିଜର ପରିଶ୍ରମର ଶ୍ରେୟ ବାପା-ମାଆ, ଭାଇ, ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଦେଇଛନ୍ତି । ସେମାନଙ୍କ ପ୍ରେରଣା ଆଜି ତାଙ୍କୁ ଏ ସ୍ଥାନରେ ପହଞ୍ଚାଇ ପାରିଛି ବୋଲି ସେ ନିଜର ମତ ରଖିଛନ୍ତି । ଆୟୁଷିଙ୍କ ବାପା ଭୁବନେଶ୍ୱର ସ୍ଥିତ ଏକ୍ସିସ୍ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରନ୍ତ ଏବଂ ତାଙ୍କ ମା ଜଣେ ଗୃହିଣୀ ।
ରିପୋର୍ଟ : ସତ୍ୟାନନ୍ଦ ପାତ୍ର