ପ୍ରଚାର ମୈଦାନରେ ପ୍ରତାପ…

ବେଗୁନିଆପଡା, ୫/୪ : ପିସି କାରବାର ହଟିବ, ଦୁର୍ନୀତି ମୁକ୍ତ ସରକାର ଗଠନ ହେବ । ଚଳିତ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଭୋଟ ନଦେବାକୁ ଆହ୍ୱାନ ଦେଇଛନ୍ତି ଏହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ପ୍ରାର୍ଥୀ ପ୍ରତାପ ନାୟକ । ପ୍ରକାଶ ଥାଉକି ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଘୋଷଣା ସରିଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ପ୍ରତାପ ନାୟକଙ୍କୁ ଟିକେଟ ମିଳିଥିବା ବେଳେ ପ୍ରଚାର ମୈଦାନକୁ ଜୋର କରିଛନ୍ତି ପ୍ରତାପ ନାୟକଙ୍କ ସମେତ ଶହ ଶହ ବିଜେପି କର୍ମକର୍ତା । ଏକ ବିରାଟ ବାଇକ ରାଲିରେ ଶାଳିଆ ଡ୍ୟାମରୁ ବାହାରି ବେଗୁନିଆପଡା ପର୍ଯ୍ୟନ୍ତ ବିଜେପି ସପକ୍ଷରେ ପ୍ରଚାର କରିଛନ୍ତି ପ୍ରତାପ ନାୟକ । ଚାଷୀଙ୍କ ସମସ୍ୟା, ନବୀନ ସରକାରଙ୍କ ଅପାରଗତା, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପିସି କାରବାର ସମେତ ଅନେକ ମୁଦାକୁ ନେଇ ଜନସାଧାରଣଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଥିଲେ ଶ୍ରୀ ନାୟକ । ଏହା ସହ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ସଫଳତାକୁ ନେଇ ଲୋକଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ବିଜେପି ହିଁ ଓଡିଶାର ବିକଳ୍ପ ବୋଲି କହିଥିଲେ ଶ୍ରୀ ନାୟକ । ଏହି ପ୍ରଚାର କାର୍ଯ୍ୟକ୍ରମରେ ଶହ ଶହ ବିଜେପି କର୍ମୀ ଯୋଡି ହୋଇ ଜୟ ଶ୍ରୀରାମ ନାରା ସମେତ ପ୍ରତାପ ନାୟକଙ୍କ ସପକ୍ଷରେ ଭୋଟ ଦେବାକୁ କର୍ମୀମାନେ ସ୍ଲୋଗାନ ଦେଇଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ