ବାରବାଟୀ ଏବଂ ସାଲେପୁର ଆସନରୁ ବିଜେପି ପ୍ରାର୍ଥୀ ହେବେ ଅନୁଭବ ଏବଂ ଅରିନ୍ଦମ !

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜର ପ୍ରଥମ ପର୍ୟ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୪୭ ବିଶିଷ୍ଟ ବିଧାନସଭା ଆସନରୁ ବିଜେଡି ୭୨, କଂଗ୍ରେସ ୪୭ ଏବଂ ବିଜେପି ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେଥିମଧ୍ୟରୁ କଟକ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ନେଇ ରାଜନୀତି ମଇଦାନ ସରଗରମ ହୋଇଛି । ଏହି ୯ଟି ନିର୍ବାଚନ ମଣ୍ଡଳୀରେ ବିଜେଡି-ବିଜେପି ନିଜ ନିଜ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବାବେଳେ କଂଗ୍ରେସ ଏଯାବତ୍ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ ।
ବଡମ୍ବା ନିର୍ବାଚନ ମଣ୍ଡଳୀରୁ ବିଜେଡି ଦେବୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀ । ସେହିପରି ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଲଢେଇ ହେବ । ଆଠଗଡରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କ ମଧ୍ୟରେ ଟକ୍କର ହେବ । ଏପଟେ ଚୌଦ୍ବାରରୁ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ ଏବଂ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି, ନିଆଳିରୁ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲିକ ଏବଂ ବିଜେପି ପ୍ରାର୍ଥୀ ଛବି ମଲିକ, କଟକ ସଦରରୁ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ଏବଂ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ।
ତେବେ ମାହାଙ୍ଗାରେ ଏଥର ବିଜେଡି କାହାକୁ ଟିକେଟ୍ ଦେବ ତାହା ସ୍ପଷ୍ଟ କରିନଥିବାବେଳେ ପ୍ରତାପ ଜେନା ଆଶାୟୀ ତାଲିକରେ ରହିଛନ୍ତି । ଅପରପକ୍ଷେ ବିଜେପି ମାହାଙ୍ଗାରୁ ସୁମିତ କୁମାର ଘଡେଇଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି । ଏବେ ସମସ୍ତଙ୍କ ନିଜର ବାରବାଟୀ ଏବଂ ସାଲେପୁର ଉପରେ । ଏହି ଦୁଇ ଆସନରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବାବେଳେ ବିଜେପି ସମ୍ଭାବତଃ ନୂତନ ଭାବେ ଶଙ୍ଖ ଛାଡି ପଦ୍ମ ଧରିଥିବା ଦୁଇ ନେତାଙ୍କ ଉପରେ ଭରଷା କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଉଭୟ ଆସନରୁ ବିଜେପି ହୁଏତ ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ଅରନ୍ଦିମ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।