ବଢୁଛି ପାରଦ । ଅସହ୍ୟ ରାଜ୍ୟବାସୀ…

କଲବଲ କରୁଛି ଅସହ୍ୟ ତାତି । ତାତିରୁ ନିସ୍ତାର ପାଇଁ ରାଜ୍ୟବାସୀ ଆଉଟୁପାଉଟୁ । ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା କେଉଁଠି ହେଲେ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨ଦିନ ଭିତରେ ତାପମାତ୍ରା ୪ରୁ ୫ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ରାତି ତାପମାତ୍ରା ମଧ୍ୟ ୨ରୁ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପରିକି କେତେକ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ନିମ୍ନ ଚାପ ରେଖା ଓ କାଳବୈଶାଖୀ ପାଇଁ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ପୁଣି ପ୍ରବଳ ଗରମ ଅନୁଭୂତ ହେବ ।
ଆସନ୍ତା କାଲିଠାରୁ ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିବ । ଗରମ ସହ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ରାତି ତାପମାତ୍ରା ବୃଦ୍ଧି ପାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ଅଂଶୁଘାତ ଓ ଡାଇରିଆ ଭଳି ଅସୁସ୍ଥତା ଉପରେ ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏଥିସହ କୌଣସି ଅଘଟଣକୁ ଏଡେଇବା ଲାଗି ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ରାୟଗଡ଼ା ଓ ଝାରସୁଗୁଡ଼ାରେ ୩୮.୬, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ ହୋଇଛି ।